କୋରାପୁଟ ହେବ ପ୍ରାକୃତିକ ରଙ୍ଗ ଦିଆ ବସ୍ତ୍ରର ପ୍ରାଣକେନ୍ଦ୍ର କୋରାପୁଟ:ପ୍ରାକୃତିକ ଉପାୟରେ ହେବ କପଡା ରଙ୍ଗ । ବିଭିନ୍ନ ପ୍ରକୃତି ଦତ୍ତ ସମ୍ପଦକୁ ନେଇ ଦେଶ ବିଦେଶରେ ନାଁ କରିଥିବା କୋରାପୁଟ ଜିଲ୍ଲା ଏବେ ପ୍ରାକୃତିକ ରଙ୍ଗ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଖ୍ୟାତି ଅର୍ଜନ କରିଛି । ବୈପାରିଗୁଡା ର ରାମଗିରି ଜଙ୍ଗଲ ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ ସମେତ ବୈପାରିଗୁଡା , ଲସତାପୁଟ , ନନ୍ଦପୁର ଓ କୋରାପୁଟ ବ୍ଲକ ର 65 ଜଣ ମହିଳାଙ୍କୁ ଏନେଇ ପ୍ରତ୍ୟକ୍ଷ ଅନୁଭୂତି ଦିଆଯିବା ସହ ଅନୁଷ୍ଠାନ ତରଫରୁ ତାଲିମ ପ୍ରଦାନ କରାଯାଇଛି ।
ସୁଦୂର ବିଜୟୱାଡା ନିକଟସ୍ଥ ଚାର୍ଲା ଠାରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ନିମନ୍ତେ ନିଜସ୍ୱ ଶିଳ୍ପ ପ୍ରତିଷ୍ଠା କରି ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ଉଦ୍ୟୋଗୀ ବେଣୁ ଗୋପାଳ । ଯାହାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ମହିଳାମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ବୃକ୍ଷର ଛାଲି , ପତ୍ର , ଫଳ ଓ ଫୁଲ କୁ ସଂଗ୍ରହ କରିବା ସହିତ ସେଗୁଡିକୁ ନେଇ କିପରି ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିହେବ ସେ ସଂକ୍ରାନ୍ତରେ ତାଲିମ ଗ୍ରହଣ କରିଛନ୍ତି।
ତେବେ କୋଟପାଡ ର ବୁଣାକାର ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ପ୍ରାକୃତିକ ରଙ୍ଗରେ ଶାଢ଼ୀ ଓ ଅନ୍ୟାନ୍ୟ ବସ୍ତ୍ର ବୁଣି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଜଙ୍ଗଲରୁ ବ୍ୟବସାୟୀ ସଂଗ୍ରହ କରି ଆଣୁଥିବା ଆଲ ଗଛର ଚେରରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ରଙ୍ଗକୁ ସୂତାରେ ଚଢାଇ ଏହି ବସ୍ତ୍ର ପ୍ରସ୍ତୁତ କରାଯାଇଥାଏ । ଏଥିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଉ ନ ଥିବା ଯୋଗୁଁ ଏହାର ଆଦର ବଢିଛି । କିନ୍ତୁ ଆଲ ଚେରର କିଣା ମୂଲ୍ୟ ଏବଂ ବସ୍ତ୍ର ପ୍ରସ୍ତୁତିରେ ଲାଗୁଥିବା ଶ୍ରମ ଓ ସମୟ ଅଧିକ ହେଉଥିବା ଯୋଗୁଁ ବସ୍ତ୍ରର ପ୍ରସ୍ତୁତ ମୂଲ୍ୟ ବଜାରରେ ମିଳୁଥିବା ଅନ୍ୟାନ୍ୟ ସାଧାରଣ ବସ୍ତ୍ରଠାରୁ ଅଧିକ ରହୁଛି । ଏହା ଫଳରେ ଏହାର ବ୍ୟବହାର ସ୍ଥାନୀୟ ଲୋକେ ନିଜ ଦୈନନ୍ଦିନ କାର୍ଯ୍ୟରେ ଲଗାଇପାରୁନାହାନ୍ତି। ଏଥିସହ ଏହି ବସ୍ତ୍ର ସ୍ୱତନ୍ତ୍ର ଭାବେ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହେଉଥିବା ଯୋଗୁଁ ବିଶେଷ ଆକର୍ଷଣ ଥିବା ବ୍ୟକ୍ତି ବିଶେଷ ହିଁ କିଣୁଥିବା ଲକ୍ଷ୍ୟ କରାଯାଇଛି ।
ତେଣୁ ଏଠାକାର ବୁଣାକାର ପାଇଁ ନିଜ ପ୍ରସ୍ତୁତି କୁ ବିକିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ମେଳା , ବିଶେଷ ପ୍ରଦର୍ଶନୀ ହିଁ ସାହା ଭରସା ପାଲଟିଛି । କୋରାପୁଟ ଜିଲ୍ଲାକୁ ଆସୁଥିବା ବିଶେଷ ପର୍ଯ୍ୟଟକ ମଧ୍ୟ ଏହି ଅଞ୍ଚଳର ଏକ ସ୍ମୃତି ଭାବେ କୋଟପାଡ ବସ୍ତ୍ରକୁ କିଣି ନେଉଥିବା ଯୋଗୁଁ ସେମାନେ ମଧ୍ୟ ଏହି ବସ୍ତ୍ରର ବଜାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ତେବେ ଏ ପର୍ଯ୍ୟନ୍ତ କେବଳ ଆଲ ଗଛର ଚେରରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି କୋଟପାଡ଼ ଅଞ୍ଚଳର ବୁଣାକାର ଆନ୍ତର୍ଜାତୀୟ ସ୍ତରରେ ବସ୍ତ୍ର ପ୍ରସ୍ତୁତ କରିବାରେ ସକ୍ଷମ ହୋଇଥଛନ୍ତି। ହେଲେ ପର୍ଯ୍ୟାପ୍ତ ପରିମାଣରେ ଆଲ ଚେର ମିଳିବା ଏକ ସମସ୍ୟା ହେବାରୁ ଅନେକ ସମୟରେ ଏହି ଶିଳ୍ପ ରେ ପ୍ରତିବନ୍ଧକ ସୃଷ୍ଟି ହୋଇଛୁ। ଏନେଇ କୋରାପୁଟ ଜିଲ୍ଲାର ବଣ ଜଙ୍ଗଲରେ ସାଧାରଣ ଭାବେ ଦେଖାଯାଉଥିବା ଆମ୍ବ , ବିଜା , ସିନ୍ଦୁର ଭଳି ଗଛର ବିଭିନ୍ନ ଅଂଶରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଇ ପାରୁଥିବା ଯୋଗୁଁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି କ୍ଷେତ୍ରରେ କୋରାପୁଟ ଜିଲ୍ଲା ରାଜ୍ୟରେ ଅଗ୍ରଣୀ ସ୍ଥାନ ଅଧିକାର କରିବ ବୋଲି ବେଣୁଗୋପାଲ ମତ ରଖିଛନ୍ତି ।
ସେହିପରି କେବଳ ଗ୍ରୀଷ୍ମ ସମୟରେ 4 ମାସ ଆଲ ଚେରରୁ ରଙ୍ଗ ପ୍ରସ୍ତୁତ କରି କୋଟପାଡରେ ଫୋକ ଭିବ୍ସ ସଂସ୍ଥା ସହଯୋଗରେ ମହିଳା ମାନେ ଆଲ ରଙ୍ଗ ରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ଦେଢ଼ ଲକ୍ଷ ଟଙ୍କା ଆୟ କରିଛନ୍ତି। ତେଣୁ ବର୍ତ୍ତମାନ ବର୍ଷ ତମାମ ବିଭିନ୍ନ ବୃକ୍ଷରୁ ରଙ୍ଗ ପ୍ରସ୍ତୁତ କରି କୋରାପୁଟ ଜିଲ୍ଲାର ମହିଳା ପ୍ରତ୍ୟେକ 4 ରୁ 5 ଲକ୍ଷ ଟଙ୍କା ର ଆୟ କରିପାରିବେ ବୋଲି ଅନୁରାଧା ଜଣାଇଛନ୍ତି । ଫୋକ ଭିବ୍ସ ର ଏହି ଅଭିନଵ ପ୍ରୟାସ ଯୋଗୁଁ ଗାଁ ଗଣ୍ଡା ରେ ମହିଳା ଉପକୃତ ହେବେ ବୋଲି କୋଟପାଡ ଅଞ୍ଚଳରୁ ଆସିଥିବା ବୁଣାକାର ତଥା ତାଲିମଦାତା ରମେଶ ଚନ୍ଦ୍ର କୂଳଦୀପ ଆଶା ରଖିଛନ୍ତି । ଏ ପର୍ଯ୍ୟନ୍ତ ସିଲେଇ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିବା ବୈପାରିଗୁଡାର ମହିଳା ସବିତା ଦାସ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ର ତାଲିମ ପାଇବା ପରେ ଉନ୍ନତ ମାନର ଆୟ ପାଇବା ସମ୍ଭବ ହେବ ବୋଲି ସ୍ବପ୍ନ ଦେଖିଛନ୍ତି । ତାଲିମ ପ୍ରାପ୍ତ ମହିଳାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଫୋକ ଭିବ୍ସ ମଧ୍ୟ ସେମାନଙ୍କୁ ସୂତା ଯୋଗାଇ ଦେବା ସହ ଜାତୀୟ ସ୍ତରରେ ବଜାର ଉପଲବ୍ଧ କରାଇବା ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିବା ଫୋକ ଭିବ୍ସ ନିର୍ଦେଶକ କହିଛନ୍ତି ।
ଇଟିଭି ଭାରତ, କୋରାପୁଟ