ଓଡିଶା

odisha

ETV Bharat / state

ଅଭାବୀ ବିକ୍ରିର ଶିକାର ମହୁଲ ଗୋଟାଳି, ବଜାର ଦର କମ ରହିଥିବାରୁ ବଢୁଛି ଚିନ୍ତା - ଅଭାବୀ ବିକ୍ରିର ଶିକାର ମହୁଲ ଗୋଟାଳି

ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମହୁଲ ଗୋଟାଳି । ବଜାର ଦର କମ ରହିଥିବାରୁ ଚିନ୍ତାରେ ଆଦିବାସୀ । ଅଧିକ ପଢନ୍ତୁ

ଅଭାବୀ ବିକ୍ରିର ଶିକାର ମହୁଲ ଗୋଟାଳି
ଅଭାବୀ ବିକ୍ରିର ଶିକାର ମହୁଲ ଗୋଟାଳି

By

Published : Mar 24, 2023, 2:08 PM IST

ଅଭାବୀ ବିକ୍ରିର ଶିକାର ମହୁଲ ଗୋଟାଳି

କୋରାପୁଟ:କଥାରେ ଅଛି ବସନ୍ତରେ ଗଛରେ ଭରିଯାଏ ମହୁଲ । କୋରାପୁଟ ଜିଲ୍ଲାରେ ମଧ୍ୟ ଅନେକ ମହୁଲ ସଂଗ୍ରହ କରି ଜୀବିକା ପରିପୋଷଣ କରିଥାନ୍ତି । କିନ୍ତୁ ମହୁଲର ବଜାର ଦର କମିଯାଇଥିବାରୁ ଏହାକୁ ନେଇ ଚିନ୍ତାରେ ଆଦିବାସୀ ।

ବୈପାରିଗୁଡ଼ା ବ୍ଲକର ଗୁପ୍ତେଶ୍ୱର ପୀଠ ନିକଟ ଜଙ୍ଗଲ ମଧ୍ୟରେ ଥିବା ପୂଜାରିପୁଟ, ସିରିବେଡା, ତାଲୁର, ଗାଡାଘାଟ, ଛେଳିପଦର ଭଳି ଉପାନ୍ତ ଅଞ୍ଚଳରେ ଥିବା ଗାଁ ଗୁଡିକରେ ଏବେ ମଧ୍ୟ ଲୋକେ ଜଙ୍ଗଲରୁ ଦ୍ରବ୍ୟ ସଂଗ୍ରହ କରିଥାନ୍ତି । ଜଙ୍ଗଲକୁ ଯାଇ ତେନ୍ତୁଳି, ମହୁଲ ଫୁଲ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ଜୀବିକାର ଆଧାର ସୃଷ୍ଟି କରୁଛନ୍ତି । ତେନ୍ତୁଳି ସଂଗ୍ରହ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବା ବେଳେ ମହୁଲ ଫୁଲ ସଂଗ୍ରହ ପ୍ରାୟ ଶେଷ ହେବାକୁ ଲାଗିଲାଣି । ତେବେ ମହୁଲ ଫୁଲର ବଜାର ଦର କମିଯାଇଥିବା ଯୋଗୁଁ ମହୁଲ ସଂଗ୍ରହ କରି ବଣ ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।

ଏ ଅଞ୍ଚଳର ଆଦିବାସୀ ମହିଳା ଓ ପୁରୁଷ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ବୁଲି ବୁଲି ଗଛରୁ ଝଡି ପଡୁଥିବା ମହୁଲ ଫୁଲକୁ ସଂଗ୍ରହ କରି ଘର ବାରଣ୍ଡାରେ ଶୁଖାଇ ଥାଆନ୍ତି । କିଛିଦିନ ପରେ ସେଥିରୁ ନିଜେ କିଛି ପରିମାଣରେ ମଦ ତିଆରି କରିବା ପାଇଁ ବ୍ୟବହାର କରୁଥିବା ବେଳେ ବିଶେଷତଃ ବାହାରର ବ୍ୟବସାୟୀଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି । ଘର ପାଖକୁ ଛତିଶଗଡ଼ରୁ ଆସୁଥିବା ବୁଲା ବିକାଳିଙ୍କୁ କିଛି ଧାନ, ବିରି ଅଥବା ପନିପରିବା ବଦଳରେ ମହୁଲ ଫୁଲକୁ ଦେଇଦିଅନ୍ତି । କିନ୍ତୁ ଏହି ଜଙ୍ଗଲ ବାସୀଙ୍କ ଦ୍ୱାରା ସଂଗୃହିତ ହୋଇଥିବା ମହୁଲ ମଧ୍ୟରୁ ଅଧିକ ଭାଗ ମଦ ରାନ୍ଧୁଥିବା ବିହାରୀ ବ୍ୟବସାୟୀଙ୍କୁ ବିକ୍ରି ହେଉଛି ବୋଲି ମହୁଲ ଫୁଲ ସଂଗ୍ରହ କରୁଥିବା ପୂଜାରିପୁଟ ବାସିନ୍ଦା ଫଗୁଣ ଦୁରୁଆ ଜଣାଇଛନ୍ତି । ମହୁଲ ଫୁଲକୁ ଖରାରେ ଶୁଖାଇ ପୋଚ ତିଆରି କରି ମଦ ପ୍ରସ୍ତୁତ କରିବା ବ୍ୟତୀତ ଏହି ଫୁଲର ବିଶେଷ ଭାବେ ଅନ୍ୟ ବ୍ୟବହାର ନଥିବା ଯୋଗୁଁ ଆଦିବାସୀମାନେ ମଦ ବ୍ୟବସାୟ କରୁଥିବା ବିହାରୀ ବ୍ୟବସାୟୀଙ୍କ କିଣିବା ଉପରେ ଅଧିକ ନିର୍ଭର କରୁଥିବା ସେ କହିଛନ୍ତି ।

ତେବେ ମଦ ତିଆରି କରିବା ପାଇଁ ମହୁଲ ଭଳି ଗୁଡର ମଧ୍ୟ ବ୍ୟବହାର ବହୁଳ ପରିମାଣରେ ହେଉଥିବା ଯୋଗୁଁ ଗୁଡର ବଜାର ଦର ଉପରେ ମହୁଲର ଚାହିଦା ମଧ୍ୟ ପ୍ରଭାବିତ ହୋଇଥାଏ ବୋଲି ସ୍ଥାମନୀୟ ବାସିନ୍ଦା କହିଛନ୍ତି । ଚଳିତ ବର୍ଷ ଜଙ୍ଗଲରେ ମହୁଲ ଫୁଲ କମ ଫୁଟିଥିବା ବେଳେ ଗୁଡର ବଜାର ଦର କମ ଥିବା ଯୋଗୁଁ ବୋଝ ଉପରେ ନଳିତା ବିଡା ଭଳି ମହୁଲ ଗୋଟାଇ ଜୀବନ ଜିଉଁଥିବା ବନବାସୀଙ୍କ ପାଇଁ ସମସ୍ୟା ଦ୍ବିଗୁଣିତ ହୋଇ ଉଠିଛି । ଗତ ବର୍ଷ ଜଙ୍ଗଲରେ ଅଧିକ ପରିମାଣରେ ମହୁଲ ଫୁଲ ସଂଗ୍ରହ ହୋଇଥିବା ଯୋଗୁଁ ଅନେକ ଦେଶୀ ମଦ ବ୍ୟବସାୟୀଙ୍କ ଗୋଦାମରେ ଆଜି ପର୍ଯ୍ୟନ୍ତ ମହୁଲ ଫୁଲ ଗଚ୍ଛିତ ରହିଛି । ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟତା ମୂଲ୍ୟ ବନବାସୀଙ୍କ ପାଖରେ ସରକାରୀ ମଣ୍ଡି ମାଧ୍ୟମରେ ପହଞ୍ଚି ପାରିଥିଲେ ବଣ ଜଙ୍ଗଲରେ କାମ ଧନ୍ଦାର ଅଭାବରେ ଦିନ କାଟୁଥିବା ଲୋକଙ୍କ ଜୀବନରେ ନୂତନ ଆଶା ସଂଚରିତ କରିପାରନ୍ତା ବୋଲି ସ୍ଥାନୀୟ ସ୍ବେଚ୍ଛାସେବୀ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details