କୋରାପୁଟ: ଡିସେମ୍ବର 10 ତାରିଖରେ କାରାଗାର ପ୍ରତିଷ୍ଠା ଦିବସ ପାଳିବ କୋରାପୁଟ ସ୍ଥିତ ମଣ୍ଡଳ କାରାଗାର । ଏହି ଅବସରରେ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଏକ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଯେଉଁଥିରେ ଅଂଶ ଗ୍ରହଣ କରୁଛନ୍ତି ଜେଲ୍ ଅନ୍ତେବାସୀ । ମଣ୍ଡଳ କାରାଗାର ସୁପେରିନଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଏହି ଉତ୍ସବ ସହ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଅନ୍ତେବାସୀ ଅଂଶଗ୍ରହଣ କରିଛନ୍ତି । କାରାଗାର ଅନ୍ତେବାସୀଙ୍କ ମଧ୍ୟରେ 4 କାନ୍ଥ ମଧ୍ୟରେ ଅଟକ ଅବସ୍ଥାରେ ରହିଥିବା ଅବସ୍ଥାରେ ଅବସାଦ ବୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ନିଜ ଜୀବନ ପ୍ରତି ବିତୃଷ୍ଣାଭାବ ଜାତ ହେବାର ସମ୍ଭାବନା ଥାଏ । ଏହି ସମୟରେ ସେମାନଙ୍କ ସହ ଥିବା ବନ୍ଧୁ ତାଙ୍କୁ ଏହି ଭାବନାରୁ ମୁକ୍ତ କରିବା ଦିଗରେ ସହାୟକ ହୋଇପାରିବେ ବୋଲି କାରାଗାର ସୁପେରିନଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ମତବ୍ୟକ୍ତ କରିଛନ୍ତି ।
ଅନ୍ତେବାସୀଙ୍କ ମନରେ ଶାନ୍ତି ପ୍ରତିଷ୍ଠା ତଥା ନୈରାଶ୍ୟ ଭାବକୁ ଦୁରେଇବା ପାଇଁ କାରାଗାର ତରଫରୁ ଅନ୍ତେବାସୀଙ୍କୁ ନେଇ ରେଡିଓ ମୁକ୍ତି ଭଳି ସାପ୍ତାହିକ ସୃଜନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାହାଦ୍ୱାରା ସେମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଶାରୀରିକ ବ୍ୟାୟାମ ତଥା ଯୋଗ, ପ୍ରାଣାୟମର ପ୍ରଚଳନ ଅନେକ ମାତ୍ରାରେ ପ୍ରଭାବଶାଳୀ ହୋଇପାରିଛି ।