କୋରାପୁଟ: ସବୁଜ ଉପତ୍ୟକାର ପୃଷ୍ଠଭୂମିରେ ରହିଛି କୋରାପୁଟ ଜିଲ୍ଲା । ଏଠାରେ ରହିଛି ଅନେକ ଛୋଟବଡ଼ ପାହାଡ଼ । କୋରାପୁଟରେ ରାଜ୍ୟର ଉଚ୍ଚତମ ଗିରିଶୃଙ୍ଗ ଦେଓମାଳୀ ମଧ୍ୟ ଅବସ୍ଥିତ । କହିବାକୁ ଗଲେ କୋରାପୁଟକୁ ସ୍ବତନ୍ତ୍ର ପରିଚୟ ଦେଇଛି ଏହି ପାହାଡ ପର୍ବତ । ପ୍ରକୃତିର ବରଦାନ କୋରାପୁଟ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ରାଜ୍ୟ ତଥା ଦେଶରେ ଖୁବ୍ ପ୍ରସିଦ୍ଧ । ପାହାଡିଆ ଟାପୁର ଗଢି ଉଠିଥିବା ବିଭିନ୍ନ କୀର୍ତ୍ତିରାଜି ଏବଂ ପାହାଡ ଚିରି ଝରି ଆସୁଥିବା ଜଳପ୍ରପାତ କୋରାପୁଟକୁ ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛି । ପ୍ରତିବର୍ଷ ଏବଂ ପ୍ରତ୍ୟେକ ଋତୁରେ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଛୁଟେ ।
ପାକୃତିକ ସୌନ୍ଦର୍ଯ୍ୟର ମାୟାନଗରୀ କୋରାପୁଟ, ଏଠି ଭରା ଯୌବନର ଗୀତ ଗାଏ ବେଫିକର ଦେଓମାଳୀ କୋରାପୁଟରେ ଅନେକ ଆଦିବାସୀ ବସବାସ କରନ୍ତି । ସେମାନଙ୍କର ମୁଖ୍ୟ ଜୀବିକା ଚାଷ ଓ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ । ପାହାଡ଼ରୁ ନାନା ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ ପେଟ ପୋଷନ୍ତି । ପୁଣି ଏହି ପାହାଡରୁ ଝରି ଆସୁଥିବା ଝରଣା ଜଳରୁ ଅମଳ ହୁଏ ଫସଲ । ସେଥିପାଇଁ କାହିଁ କେଉଁ କାଳରୁ କୋରାପୁଟ ସହ ପାହାଡ଼ ଓ ପାହାଡ଼ ସହ କୋରାପୁଟବାସୀଙ୍କ ଅଭିନ୍ନ ସମ୍ପର୍କ ରହିଥିବାର କୁହାଯାଏ ।
କୋରାପୁଟ ଜିଲ୍ଲା ଇଂରେଜ ଶାସନ କାଳରେ ମଧ୍ୟ ଏକ ହିଲ୍ ଷ୍ଟେସନର ଗୁରୁତ୍ବ ପାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ସ୍ବତନ୍ତ୍ର ସର୍କିଟ ହାଉସକୁ ଛୋଟ ବଡ ପାହାଡ଼ିଆ ଟାପୁରେ ନିର୍ମାଣ କରିଥିଲେ ଇଂରେଜ ସରକାର । ପରବର୍ତ୍ତୀ ସମୟରେ କୋରାପୁଟ ସହରରେ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର, ରେଳବାଇର ଶିବ ମନ୍ଦିର , ରେଳବାଇ ଗେଷ୍ଟ୍ ହାଉସ ଭଳି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତି ପାହାଡ଼ ଟାପୁରେ ସ୍ଥାପିତ ହୋଇ କୋରାପୁଟ ସହରର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସେ ଗୁପ୍ତେଶ୍ବର ଶିବ ମନ୍ଦିର ହେଉ କି, ରାଣୀ ଡୁଡୁମା ଜଳପ୍ରପାତ କିମ୍ବା ମାଛକୁଣ୍ଡ ଜଳପ୍ରପାତ ସବୁ କିଛି ସର୍ଜନା ଏଇ ପାହାଡରୁ ।
ହେଲେ ନିଜର ଚିରସବୁଜ ପାହାଡ଼କୁ ନେଇ ସ୍ବତନ୍ତ୍ର ପରିଚୟ ପାଇଥିବା କୋରାପୁଟ ଏବେ ଅସ୍ତିତ୍ବ ହରାଇବାକୁ ବସିଛି । ନିରବଚ୍ଛିନ୍ନ ଖଣି ଖନନ ସହ ବୃକ୍ଷ ଶୂନ୍ୟ ହେବାରେ ଲାଗିଛି ସବୁଜ ଗିରିଶୃଙ୍ଗ । ଏପରି ଜାରି ରହିଲେ ସୁନ୍ଦରୀ କୋରାପୁଟ ଯେ ତା'ର ସୌନ୍ଦର୍ଯ୍ୟ ହରାଇ ବସିବ ସେଥିରେ ସନ୍ଦେହ ନାହିଁ । ତେଣୁ ପର୍ବତ ଗୁଡିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆଜି ଶପଥ ନେବାର ଆବଶ୍ୟକତା ରହିଛି ବୋଲି କୋଟସର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଆହ୍ବାନ ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ