କୋରାପୁଟ:ସଂସଦରେ ଭାଷଣ ଦେଲେ କୋରାପୁଟ ଝିଅସ୍ଵଦିତି ସୁଲଗ୍ନା । ଦିଲ୍ଲୀସ୍ଥିତ ସଂସଦ ସେଣ୍ଟ୍ରାଲ ହଲ୍ରେ ଡ. ବି.ଆର.ଆମ୍ବେଦକରଙ୍କ ବିଷୟରେ ଭାଷଣ ଦେଇ ସେ କୋରାପୁଟ ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗତ ବର୍ଷ ଜୁନ ମାସରେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ସଡକ ପରିବହନ ବିଭାଗ ଦ୍ୱାରା ଅନୁଷ୍ଠିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ରର ଅଣ ଓଡ଼ିଆ ବିଭାଗରେ ସ୍ୱରଚିତ ଚଳଚ୍ଚିତ୍ର 'ସଡକ' ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ ସ୍ୱଦିତି ।
ସଡ଼କ ସୁରକ୍ଷା ଉପରେ ଆଧାରିତ ଏହି ଦୁଇ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ 230ଟି କ୍ଷୁଦ୍ର ଚଳଚ୍ଚିତ୍ର ସାମିଲ ହୋଇଥିଲେ । କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ନିଜସ୍ଵ ଚଳଚ୍ଚିତ୍ର ଚୂଡାନ୍ତ 42ଟି ଶୀର୍ଷ ସ୍ଥାନରେ ଥିବା ତାଲିକାରେ ସାମିଲ ହୋଇ ପାରିଥିଲା । ରାଉରକେଲା ଓ ପୁରୀରେ ସ୍କ୍ରିନିଂ ପରେ ଏହି ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସର୍ଟ ଫିଲ୍ମକୁ ଭୂୟସୀ ପ୍ରଶଂସା କରିବା ସହ ଦୁଇଜଣ କଳାକାର ସ୍ଵଦିତି ସୁଲଗ୍ନା ଓ ସ୍ୱେତଲଗ୍ନା ଶତପଥୀଙ୍କୁ ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାସ ଓ ବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିଲା । ଖାଲି ସେତିକି ନୁହେଁ ଏହି ଚଳଚ୍ଚିତ୍ରରେ ସ୍ୱଦିତି ଦେଇଥିବା କଣ୍ଠସ୍ବରକୁ ମଧ୍ୟ ବିଚାରକମାନେ ପ୍ରଶଂସା କରିଥିବା ତାଙ୍କ ମାଆ କହିଛନ୍ତି ।