କୋରାପୁଟ: ଜିଲ୍ଲାରେ ପ୍ରଦୂଷିତ ହୋଇଚାଲିଛି ପରିବେଶ । ସମୟାନୁକ୍ରମେ ଜଳବିଦ୍ୟୁତ ଯୋଜନା, ବିଶାଳ ଜଳଭଣ୍ଡାର ପ୍ରତିଷ୍ଠା ଓ ବ୍ୟାପକ ଖଣି ଖନନ ଭଳି ଅନେକ କାରଣରୁ ନଷ୍ଟ ହେଉଛି ପରିବେଶ । ତେବେ ଚଳିତ ମାସରେ କୋରାପୁଟରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ପରିବେଶ କଂଗ୍ରେସ । ଏଥିରେ ବ୍ୟାପକ ପରିବେଶ ପ୍ରଦୂଷଣ ନେଇ ଆଲୋଚନା କରାଯିବ ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଜୈବ ବିବିଧତା ବିଭାଗର ଡିନ୍ ଶରତ କୁମାର ପାଲିତା ସୂଚନା ଦେଇଛନ୍ତି ।
ଓଡିଶା ପରିବେଶ କଂଗ୍ରେସ ସମ୍ମିଳନୀ ଆସନ୍ତା ଡିସେମ୍ବର ୨୧ରୁ ୨୩ ତାରିଖ ଯାଏଁ ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ କୋରାପୁଟସ୍ଥିତ କୋଟସ୍ ଠାରେ ଅନୁଷ୍ଠିତ ହେବ । ଏନେଇ ଆଦିବାସୀ ସଂଗ୍ରହାଳୟ ସଭାଗୃହ ଠାରେ ଓଡ଼ିଶା ପରିବେଶ କଂଗ୍ରେସ ଆୟୋଜକ କମିଟିର ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପରିବେଶ କଂଗ୍ରେସ ସମ୍ମିଳନୀ ୨୦୧୦ରୁ ପ୍ରତି ବର୍ଷ ଡିସେମ୍ବର ଅନୁଷ୍ଠିତ ହେଉଥିବା ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ଏହାର ୧୩ ତମ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ।
ପରିବେଶ କଂଗ୍ରେସ ସମ୍ମିଳନୀ ଗତବର୍ଷ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏବେ ପରିବେଶ ଓ ଆଦିବାସୀ ଶୀର୍ଷକ ଏହି ରାଷ୍ଟ୍ରୀୟସ୍ତରର ସମ୍ମିଳନୀ କୋରାପୁଟଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ପରିବେଶ ବିଷୟରେ ଓଡିଶାରେ ପ୍ରଥମ ଥର ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ଦେଇଛନ୍ତି ଆୟୋଜକ କମିଟିର ସମ୍ପାଦକ । ଏନେଇ ଆଗାମୀ ୧୬ ଓ ୧୭ ତାରିଖରେ ଦୁଇଟି ସାଇକ୍ଲୋଥନର ଆୟୋଜନ କରାଯିବ । ଏହି ସାଇକେଲ ରାଲିରେ ସ୍ୱେଚ୍ଛାସେବୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସାଧାରଣ ଲୋକଙ୍କୁ ସୁସ୍ଥ ପରିବେଶ ନେଇ ସଚେତନ କରାଇବେ । ସାଇକଲ ରାଲି ୧୬ ତାରିଖରେ ସୁନାବେଡ଼ା ପୌରପରିଷଦରୁ ଆରମ୍ଭ ହୋଇ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପହଞ୍ଚିବ । ସେହିପରି ୧୭ ତାରିଖରେ କୋରାପୁଟ ପୋଲିସ ଗ୍ରାଉଣ୍ଡରୁ ବାହାରି କୋଟସ କାର୍ଯ୍ୟାଳୟ ଠାରେ ପହଞ୍ଚିବ ।