କୋରାପୁଟ: ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (NHAI) ପ୍ରସ୍ତାବିତ ଭାରତମାଳା ପରିଯୋଜନା ଅଧୀନରେ ଓଡ଼ିଶାରେ ଥିବା 240 କିଲୋମିଟର ର ଉନ୍ନତି ପାଇଁ ଚଲାଇଛି ପ୍ରଚେଷ୍ଟା । ଏହି ପ୍ରକଳ୍ପରେ ସାମିଲ ଅର୍ଥନୈତିକ କରିଡର , ଇଣ୍ଟର କରିଡର ଓ ଯୋଗାଣ ମାର୍ଗ ଏଵଂ ଉପକୂଳବର୍ତ୍ତୀ ସଦର ବିକାଶ ନିମନ୍ତେ ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ୱାରା କୋରାପୁଟ ରେ ହୋଇଥିବା ଜନଶୁଣାଣୀ ଶେଷ ହୋଇଛି । ଏହି ଜନଶୁଣାଣୀରେ କିଛି ଅସନ୍ତୋଷ କୁହୁଳିଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ପ୍ରାପ୍ୟ ନେଇ ତେଜିଛି ଦାବି ।
କୋରୋପୁଟରେ ଭାରତମାଳା ପ୍ରୋଜେକ୍ଟକୁ ବିରୋଧ, ତେଜିଲା ଜନ ଅସନ୍ତୋଷ ଏହି ଜନଶୁଣାଣୀରେ ବୋରିଗୁମ୍ମା , ଦଶମନ୍ତପୁର,ସେମିଳିଗୁଡା , ପଟ୍ଟାଙ୍ଗି ଓ କୋରାପୁଟ ବ୍ଲକ ର ଜମିହରାଉଥିବା ପରିବାର ନିଜ ନିଜ ମତାମତ ଉପସ୍ଥାପନ କରିଛନ୍ତି । ଜମିହରା ଗ୍ରାମବାସୀ ନିଜ ସମସ୍ୟା ଉପସ୍ଥାପନ କରିଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ମତ ରଖିଛନ୍ତି । ଏହି ସଡକ ନିର୍ମାଣ ଅଭିଯାନରେ ସମ୍ପୂର୍ଣ ରୂପେ ବିସ୍ଥାପିତ ହେଉଥିବା ଦଶମନ୍ତପୁର ବ୍ଲକ ର ରଙ୍ଗମାଟିଗୁଡା ବାସୀଙ୍କ ପାଇଁ ସ୍ୱତନ୍ତ୍ର କ୍ଷତିପୁରଣର ବ୍ୟବସ୍ଥା , ଜମି ହରାଉଥିବା ବ୍ୟକ୍ତିକୁ ଉଚିତ ମୂଲ୍ୟ ପ୍ରଦାନ ଓ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ସେମିଳିଗୁଡା ନିକଟସ୍ଥ ମଡେଲ ଡିଗ୍ରୀ କଲେଜକୁ ଭାଙ୍ଗି ସେନେଇ ରାସ୍ତା କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି ତେଜିଛି ।
କୋରାପୁଟରେ ଭାରତମାଳା ପରିଯୋଜନାରେ ୧୨୬ କିଲୋମିଟର ରାସ୍ତା ହେବାକୁ ଥିବା ବେଳେ ଏଥି ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି । ରାସ୍ତା ନିର୍ମାଣ ପୂର୍ବରୁ କେତେ ଗଛ କାଟିବାକୁ ପଡିବ ତାହା ଗଣନା କରାଯିବା ସହ ରାସ୍ତା ନିର୍ମାଣର ମୂଲ୍ୟାଙ୍କନ ଉପରେ ଆଲୋକପାତ କରାଯାଇଥିଲା । ତତ୍ ସହିତ କେତେ ଘର ସ୍ଥାନାନ୍ତର କରାଯିବ ଓ ଲୋକଙ୍କର କଣ ସବୁ ଦାବି ରହିଛି ସେ ସବୁକୁ ବିଚାରକୁ ନେଇ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଜି ଜନ ଶୁଣାଣୀ ଅନୁଷ୍ଠିତ ହୋଇଛି । ଅପରପକ୍ଷରେ ଏନଏଚଏଆଇ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ସଡକ ନିର୍ମାଣ ପାଇଁ ଅଧିକାଂଶ ସ୍ଥାନରେ ସରକାରୀ ଜମିକୁ ଚୟନ କରାଯାଇଛି । ଯେଉଁ କେତେକ ଜାଗାରେ ବ୍ୟକ୍ତିଗତ ଜମି ଅଧିଗ୍ରହଣ କରାଯିବ ସେ ସଂକ୍ରାନ୍ତରେ କିପରି ସୂଚାରୁ ରୁପେ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ଚାଲିଛି ।
ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ଏହି ପରିଯୋଜନାକୁ ପରିଚାଳନା କରାଯାଉ ଥିବାବେଳେ ଛତିଶଗଡର ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖା ପାଟଣା (ମୋଟ ୩୫୯କିମି)କୁ ଓଡ଼ିଶା ଦେଇ ଏହା ଯୋଗ କରିବ। ଓଡ଼ିଶା-ଛତିଶଗଡ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୁଣ୍ଡେଇରୁ ଏହା ଆରମ୍ଭ ହେବାକୁ ରହିଥିବାବେଳେ କୋରାପୁଟ ପଟାଙ୍ଗୀ ବ୍ଲକ ଅଣ୍ଡରାଙ୍ଗୀ ଗାଁରେ ଶେଷ ହେବ। କେନ୍ଦ୍ର ଜାତୀୟ ରାଜପଥ ତଥା ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟ ଭାର ଗୁରୁଗାଁଓର ଏକ ଘରୋଇ ଇଞ୍ଜିନିୟରିଂ ସଂସ୍ଥାକୁ ପ୍ରଦାନ କରାଯାଇଛି। ଏହି ରାସ୍ତାର ଲମ୍ବ ମଧ୍ୟରେ ମୋଟ ୧୨୯ଟି ଗାଁ ପଡୁଥିବାବେଳେ କୋରାପୁଟ ଜିଲ୍ଲାରେ ୫୯ଟି ଓ ନବରଙ୍ଗପୁର ଜିଲ୍ଲାରେ ୭୦ଟି ଗାଁ ରହିଛି ।
ଜମି ଅଧିଗ୍ରହଣ ପାଇଁ ଯେଉଁ ତହସିଲ ଦେଇ ଏହି ରାସ୍ତା ଯିବ ଉକ୍ତ ତହସିଲଦାର ଏହାର ଦାୟିତ୍ବରେ ରହିବେ। ଏହି ପ୍ରକଳ୍ପ ପାଇଁ ୮୦୯୩ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଯୋଜନାକୁ ଭତ୍ତି କରି ଏହା ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଏହି ପ୍ରକଳ୍ପ ପାଇଁ ସବୁଠୁ ବଡ ସମସ୍ୟା ରହିଛି ପାଖାପାଖି ୫୦୮ ହେକ୍ଟର ଜଙ୍ଗଲ ଜମି। ନବରଙ୍ଗପୁରରେ ୮ଟି ଜଙ୍ଗଲ ଓ କୋରାପୁଟ ଜିଲ୍ଲାରେ ୧୪ଟି ଜଙ୍ଗଲ ରହିଛି। ନବରଙ୍ଗପୁରରେ ୫୨.୨୫ ହେକ୍ଟର ରିଜର୍ଭ ଫେରେଷ୍ଟ, ୩୧୧ ହେକ୍ଟର ରାଜସ୍ବ ବିଭାଗର ଜଙ୍ଗଲ ରହିଛି। ସେହିପରି କୋରାପୁଟ ଜିଲ୍ଲାରେ ୬୭.୪୧ ହେକ୍ଟର ରିଜର୍ଭ ଫରେଷ୍ଟ ଓ ୭୭.୧୮ ରାଜସ୍ବ ବିଭାଗର ଫରେଷ୍ଟ ରହିଛି। ତେବେ ଏହି ପ୍ରକଳ୍ପକୁ ତିନି ଭାଗରେ ବିଭକ୍ତ କରାଯାଇ ଠିକା ସଂସ୍ଥା ଡିପିଆର କେନ୍ଦ୍ର ସରକାରଙ୍କୁ ଦେଇଥିବାବେଳେ ପ୍ରଥମ ଭାଗରେ ରାୟପୁରରୁ ନବରଙ୍ଗପୁର, ଦ୍ବିତୀୟ ଭାଗରେ ନବରଙ୍ଗପୁରରୁ- କୋରୋପୁଟ ଓ ତୃତୀୟ ଭାଗରେ କୋରାପୁଟରୁ- ଆନ୍ଧ୍ରର ବିଶାଖାପାଟଣାକୁ ଯୋଡିବ।
ଏହି ପରିଯୋଜନା ଅର୍ଥନୈତିକ କରିଡର ପାସ ହେବାକୁ ରହିଥିବାବେଳେ ଛତିଶଗଡ-ଓଡ଼ିଶା- ଆନ୍ଧ୍ର ପ୍ରଦେଶର ଆର୍ଥିକ, ସାମାଜିକ ଓ ରାଜନୈତିକ ଉତ୍ଥାନ ହେବ। ଏହି ପରିଯୋଜନା ସମ୍ପୁର୍ଣ୍ଣ ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି ଓ ଦୁଗ୍ଧଜାତ ଦ୍ରବ୍ୟ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମ ନିୟୋଜନ ମଧ୍ୟ ହୋଇପାରିବ। ଏହାସହ ଏହି ପରିଯୋଜାନରେ ଏହି ପ୍ରକଳ୍ପ ଶେଷ ହେଲେ ୧୪ ଘଣ୍ଟାରେ ରାୟପୁରୁ-ବିଶାଖାପାଟଣାରେ ପହଞ୍ଚି ପାରିବ । ତେବେ ଆଜି ଏହି ସଡକ ଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତିଙ୍କ ଠାରୁ ମିଳିଥିବା ସମସ୍ତ ତଥ୍ୟ ଓ ଅଭିଯୋଗକୁ ଉପର ସ୍ତରର ଅଧିକାରୀଙ୍କୁ ଜଣାଇଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତି । ଆଜିର ଜନଶୁଣାଣୀ ରେ ଦଶ ଜଣ ସେମାନଙ୍କ ମତ ରଖିଥିବା ବେଳେ କିଛି ଲିଖିତ ଅଭିଯୋଗ ମଧ୍ୟ ମିଳିଥିବା ରାଜ୍ୟ ପ୍ରଦୂଷଣ ବୋର୍ଡ ର ଅଧିକାରୀ ଜଣାଇଛନ୍ତି ।
କୋରୋପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ