କୋରାପୁଟ:ଇଶ୍ବରଙ୍କ କୃପାରୁ ଅସମ୍ଭବ ହୁଏ ସମ୍ଭବ । ସେମାନେ ଭୁଲି ଯାଇଥିଲେ ନିଜ ନାମ ସହ ଘର ଠିକଣା । ତେବେ ବର୍ଷକ ପରେ ନିଜ ଘର ଠିକଣା ଜଣାଇବାକୁ ସମର୍ଥ ହୋଇଛନ୍ତି ଦୁଇ ବୟସ୍କ ମହିଳା । ଫଳରେ ଏବେ ପ୍ରଶାସନର ସହାୟତାରେ ଘରକୁ ଫେରିବେ ବୃଦ୍ଧା । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲାରୁ ।
ସୂଚନା ଅନୁସାରେ, ବର୍ଷକ ତଳେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ହସ୍ପିଟାଲ ନିକଟରୁ ଓ ମାଲକାନଗିରି ଜିଲ୍ଲାରୁ ଦୁଇଜଣ ବୟସ୍କ ମହିଳାଙ୍କୁ ଉଦ୍ଧାର କରାଯାଇ କୋରାପୁଟରେ ଥିବା ମିଶନାରୀ ଅଫ ଚାରିଟିରେ ଭର୍ତ୍ତି କରାଯାଇଥିଲା । ଉଭୟେ ନିଜ ସମ୍ପର୍କରେ କିଛି ହେଲେ କହିପାରୁନଥିବା ଯୋଗୁଁ ବର୍ଷ ତମାମ ସେଠାରେ ରହି ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ କିଛିମାତ୍ରାରେ ସ୍ମରଣ ଶକ୍ତି ଫେରିପାଇଛନ୍ତି । ଫଳରେ ଉଭୟେ ନିଜ ନିଜ ସ୍ଥାନ ସମ୍ପର୍କରେ ସୂଚନା ଦେଇଥିବା କହିଛନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ଜଗନ୍ନାଥ ନାୟକ । ଦୁହିଁଙ୍କ ମଧ୍ୟରୁ ଜଣେ ଆହ୍ଲାବାଦର ବାସିନ୍ଦା ହୋଇଥିବାବେଳେ ଆଉଜଣେ ମୁମ୍ବାଇରୁ ଆସିଥିବା ଜଣାପଡ଼ିଛି ।