କୋରାପୁଟ: ଶିଶୁଙ୍କ ମଧ୍ୟରେ ଅପପୃଷ୍ଟି ନିୟନ୍ତ୍ରଣ ପାଇଁ କୋରାପୁଟ ଜିଲ୍ଲାରେ ବହୁବିଧ ପ୍ରଚେଷ୍ଟା ଚାଲିଛି । ଏନେଇ କିଛି କ୍ଷେତ୍ରରେ ସଫଳତା ମଧ୍ୟ ହାସଲ ହୋଇଛି । ସେ ବିଦ୍ୟାଳୟ ହେଉ ବା ଅଙ୍ଗନବାଡି କେନ୍ଦ୍ର , ସବୁଠାରେ ଅପପୃଷ୍ଟି ଶିଶୁଙ୍କୁ ଅଙ୍ଗନବାଡି କର୍ମୀ ଓ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେମାନଙ୍କ ଉପଯୋଗୀ ଖାଦ୍ୟ ତଥା ଔଷଧ ଦିଆଯାଇ ଅନେକ ଶିଶୁଙ୍କୁ ଅପପୃଷ୍ଟିର ସ୍ଥିତିରୁ ସାଧାରଣ ସ୍ଥିତିକୁ ଅଣାଯାଇପାରିଛି ବୋଲି କୋରାପୁଟ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଦ୍ୟୁଲତା ପାତ୍ର ଜଣାଇଛନ୍ତି ।
ତେବେ ଜିଲ୍ଲାରେ ଥିବା 3397 ଅଙ୍ଗନବାଡି କେନ୍ଦ୍ରରେ 1,53,830 ଶିଶୁଙ୍କୁ ଛତୁଆ , ବାଦାମ ଲଡୁ ତଥା ଗରମ ରନ୍ଧା ଖାଦ୍ୟ ଦିଆଯାଉଛି । ଏଥି ସହିତ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର ରେ ନ୍ୟୁଟ୍ରି ଗାର୍ଡେନ ପ୍ରସ୍ତୁତି କରାଯାଇ ଶିଶୁ ଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା କରାଯାଉଥିବା ପାତ୍ର ସୂଚନା ଦେଇଛନ୍ତି । ଅଙ୍ଗନବାଡି କେନ୍ଦ୍ର ଭଳି ସରକାରୀ ବିଦ୍ୟାଳୟ ରେ ମଧ୍ୟ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ସହିତ ବ୍ୟାପକ ସ୍ତରରେ ନ୍ୟୁଟ୍ରି ଗାର୍ଡେନ କରାଯାଇଛି । କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ଆବାସିକ ଉଚ୍ଚ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ରେ ସପ୍ତାହରେ ପାଞ୍ଚ ଥର ଅଣ୍ଡା ଦିଆଯାଉଥିବା ବେଳେ ବିଦ୍ୟାଳୟ ପରିସର ମଧ୍ୟରେ 15 ପ୍ରକାରର ବିଭିନ୍ନ ପନିପରିବା ଚାଷ କରାଯାଇ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଥ ଜଣାଇଛନ୍ତି ।