କୋରାପୁଟ:ପୁଣି ମୁହାଁମୁହିଁ ପଡୋଶୀ ରାଜ୍ୟ ଆନ୍ଧ୍ର- ଓଡିଶା । କିଛି ଦିନର ନୀରବତା ପରେ ପୁଣିଥରେ କୋଟିଆ ପଞ୍ଚାୟତରେ ଆନ୍ଧ୍ର ଓ ଓଡିଶା ସାମ୍ନାସାମ୍ନି ହୋଇଛନ୍ତି । ଗୋଟେ ପଟେ ଫାଟୁସିନେରୀରେ ଆନ୍ଧ୍ର ସରକାରଙ୍କ ତରଫରୁ ମହିଳା ଏସଏଚଜିଙ୍କ ବୈଠକ କରାଯାଇଥିବାବେଳେ ଗଞ୍ଜେଇପଦରରେ ଆନ୍ଧ୍ର ଦ୍ବାରା ନିର୍ମାଣ କରାଯାଉଥିବା ଅଙ୍ଗନବାଡି କେନ୍ଦ୍ରକୁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି । ଏ ନେଇ କୋଟିଆଠାରେ ଓଡିଶା ପୋଲିସ ମୁତୟନ କରାଯାଇଛି ।
ଗତ କିଛିଦିନ ପୂର୍ବେ ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୋଟିଆରେ ସୀମା ବିବାଦ ସମ୍ପର୍କରେ ଆଲୋଚନା ହୋଇଥିଲା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶା ଆସି ସୀମା ବିବାଦ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ କମିଟି ଗଠନର ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଗୋଟେ ପଟେ ଭୁବନେଶ୍ବରରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ଚାଲିଥିବାବେଳେ ଅପରପଟେ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଗ୍ରାମସଭା ଅନୁଷ୍ଠିତ କରି ସୀମା ବିବାଦର ସମାଧାନ କରିବା ଦିଗରେ ଆନ୍ଧ୍ରପ୍ରଦେଶର ଦୋମୁହାଁ ନୀତି ପଦାରେ ପଡିଥିଲା । ଏ ନେଇ ଓଡ଼ିଶାର ଜନସାଧାରଣଙ୍କ ଦ୍ଵାରା ଆନ୍ଧ୍ରପ୍ରଦେଶର ଉଦ୍ଦେଶ୍ୟକୁ ତିରସ୍କାର କରାଯାଇଥିଲା ।