କୋରାପୁଟ: ରାଜ୍ୟରେ କୋରୋନା କାୟା ବିସ୍ତାର କରୁଥିବାବେଳେ ଆଉ ଏକ ବିପଦ ‘ପଙ୍ଗପାଳ’ ଓଡିଶା ମୁହାଁ ହେଉଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜ୍ୟରେ ଫସଲ ଉଜାଡିବା ପରେ ଏବେ ପଙ୍ଗପାଳ ଦଳ ଓଡିଶା ମୁହାଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ଆସିପାରନ୍ତି ପଙ୍ଗପାଳ, ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଛତିଶଗଡରେ ପହଞ୍ଚିଥିବା ଏହି ପଙ୍ଗପାଳ ଦଳର ଦିଗକୁ ପରୀକ୍ଷା କଲେ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳକୁ ଏମାନେ ପ୍ରଥମେ ଆସିପାରନ୍ତି ବୋଲି କୁହାଯାଉଛି । ଏପଟେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛି ।
କୋରାପୁଟର ଏହି ବ୍ଲକ ହୋଇପାରନ୍ତି ଅଧିକ ପ୍ରଭାବିତ
ଛତିଶଗଡରେ ପହଞ୍ଚିଥିବା ପଙ୍ଗପାଳ ଦଳର ଗତିକୁ ଲକ୍ଷ୍ୟ କଲେ ଏହା କୋରାପୁଟ ଜିଲ୍ଲାକୁ ପ୍ରଥମେ ଆସିପାରନ୍ତି ବୋଲି ଆକଳନ କରାଯାଉଛି । ତେବେ ଏମାନେ ପ୍ରଥମେ ଜିଲ୍ଲାର କୋଟପାଡ, ବୋରିଗୁମ୍ମା, କୁନ୍ଦୁରା ଓ ଜୟପୁର ବ୍ଲକରେ ପ୍ରବେଶ କରିବା ନେଇ ଆଶଙ୍କା ଦେଖାଦେଇଛି ।
ପଙ୍ଗପାଳଙ୍କ ମୁକାବିଲା ପାଇଁ ଜିଲ୍ଲାରେ ନିଆଯାଇଛି ଏହି ପଦକ୍ଷେପ...
ଜିଲ୍ଲାରେ ପଙ୍ଗପାଳଙ୍କ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳ ଏହାର ମୁକାବିଲା ପାଇଁ ଉଦ୍ୟାନ ବିଭାଗ , ବନ ବିଭାଗ , ଅଗ୍ନିଶମ ବିଭାଗ ର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପଙ୍ଗପାଳକୁ ଦୂରେଇଦେବା ପାଇଁ ଓ ମାରିବା ପାଇଁ ଆବଶ୍ୟକ ହେଉଥିବା ରାସାୟନିକ ଔଷଧ ଯଥେଷ୍ଟ ପରିମାଣରେ ମହଜୁଦ ଥିବା ସେ ଜଣାଇଛନ୍ତି ।
ପଙ୍ଗପାଳ ଆସିଲେ ଜିଲ୍ଲାର କଣ କ୍ଷତି ହେବ ?
ଦିନକୁ ପ୍ରାୟ 100 କିମି ଆସୁଥିବା ଏହି ପଙ୍ଗପାଳ କୋରାପୁଟ ଜିଲ୍ଲାରେ ପ୍ରବେଶ କରିବା ନେଇ ଆଶଙ୍କା ଦେଖାଦେଇଛି । ତେବେ ବର୍ତ୍ତମାନ ପ୍ରାୟ ଅଧିକାଂଶ ଧାନ ଅମଳ ହୋଇଯାଇଥିବାରୁ ଜିଲ୍ଲାରେ କ୍ଷତିର ପରିମାଣ ନିୟନ୍ତ୍ରଣାଧିନ ରହିବ ବୋଲି କୋରାପୁଟ ଉଦ୍ୟାନ ବିଭାଗର ଅଧିକାରୀ ପ୍ରମୋଦ କୁମାର ସେଠୀ ଆଶାପୋଷଣ କରିଛନ୍ତି । ତେବେ ଜିଲ୍ଲାରେ ହୋଇଥିବା ଅନ୍ୟ ଫସଲର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜଣାପଡିଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ