କୋରାପୁଟ:କଫି ଚାଷକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚମକିବ କୋରାପୁଟ । ବେଙ୍ଗାଲୁରୁରେ ଆୟୋଜିତ ପଞ୍ଚମ ଅନ୍ତର୍ଜାତୀୟ କଫି ସମ୍ମିଳନୀରେ ଭାଗ ନେବେ କୋରାପୁଟର କଫି ବ୍ୟବସାୟୀ । ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ଏହି ଅନ୍ତର୍ଜାତୀୟ କଫି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଇଣ୍ଟର୍ନାସନାଲ କଫି ଅର୍ଗାନାଇଜେସନ, କଫି ବୋର୍ଡ ଅଫ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ସମ୍ମିଳନୀ । ଏହି ସମ୍ମିଳନୀରେ 80ଟି ଦେଶର 2400ରୁ ଉର୍ଦ୍ଧ୍ବ କଫି ଉଦ୍ୟୋଗୀ, 208 ଜଣ ପ୍ରଦର୍ଶକ ଯୋଗଦେବେ । ଏହି ସମ୍ମିଳନୀ 25 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମ୍ମିଳନୀ ଓ ପ୍ରଦର୍ଶନୀରେ 10 ହଜାରରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗନେବାର କାର୍ଯ୍ୟକ୍ରମ ରହିଛି ।
ଭାରତ ବର୍ଷରେ ଗତ 200 ବର୍ଷ ଧରି କଫି ଚାଷ ତଥା ବଜାର ସୃଷ୍ଟି ହୋଇଛି । ମାତ୍ର ଏବେ ଏହି ବଜାରକୁ ଅନ୍ତର୍ଜାତୀୟ ସ୍ତରରେ ଅଗ୍ରୀମ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଓଡ଼ିଶା ମାଟିରେ ବିଶେଷ କରି କୋରାପୁଟ ଜିଲ୍ଲାରେ ଗତ 35 ବର୍ଷ ଧରି କଫି ବ୍ୟବସାୟୀକରଣ କରାଯାଉଛି । କୋରାପୁଟର କଫି ବଜାରରେ ଏକ ନୂତନ ପରିଚୟ ସୃଷ୍ଟି ହୋଇପାରିଛି । କଫି ବଗିଚାରୁ ବାହାରୁଥିବା କଫିକୁ ବିକ୍ରି ନକରି କୋରାପୁଟ କଫି ଉଦ୍ୟୋଗୀ କଫି ଦାନାରୁ କଫି ଗୁଣ୍ଡ ପ୍ରସ୍ତୁତ କରି ଜାତୀୟ ତଥା ଆନ୍ତର୍ଜାତିୟ ବଜାରରେ ଖ୍ୟାତି ଅର୍ଜନ କରିପାରିଛନ୍ତି । କୋରାପୁଟ ମାଟିର ଉର୍ବରତା, ଅନୁକୂଳ ପାଣିପାଗର ପ୍ରଭାବ ଯୋଗୁଁ କୋରାପୁଟର କଫି ବିଶ୍ବ ଦରବାରରେ ଆଦୃତ ହୋଇପାରିଛି ।