କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ ଆଜି ବିଶ୍ବରେ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଆରମ୍ଭ କରିଛି । ଆଗାମୀ ଦିନରେ କୋରାପୁଟ କଫି ସମଗ୍ର ଦେଶରେ ଏକ ନୂତନ ସ୍ଥାନ ହାସଲ କରିବ । କଫି ଛଡା ଜିଲ୍ଲାର ହଳଦୀ , ଅଦା , ଷ୍ଟ୍ରବେରୀ ଓ ଆମ୍ବ ଆଗରୁ କମାଲ କରି ସାରିଛି । ଏବେ ଲୋକଙ୍କ ମନ ମୋହିଛି କୋରାପୁଟିଆ କ୍ୟାପ୍ସିକମ୍ । ଆଇଟିଡିଏ ଓ ସିୱାଇଏସଡ଼ିର ମିଳିତ ସହଯୋଗରେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତର ଭଞ୍ଜପଦର ଗାଁରୁ ଆଦିବାସୀ ଚାଷୀ ଆଜି କୋରାପୁଟ ବଜାରକୁ ନେଇ ଆସିଛନ୍ତି କ୍ୟାପ୍ସିକମ୍ ।
ଦେଶୀୟ ପଦ୍ଧତିରେ ଜୈବିକ ଚାଷର ଆଧାରରେ ଉତ୍ପାଦିତ କ୍ୟାପ୍ସିକମକୁ ବଜାର ଦର ଠାରୁ କମ୍ ଦାମରେ ପାଉଥିବା ଯୋଗୁଁ ଗ୍ରାହକ ମଧ୍ୟ ଖୁସିରେ କିଣୁଛନ୍ତି କ୍ୟାପ୍ସିକମ । ରାସ୍ତା କଡ଼ରେ ବସିଥିବା କ୍ୟାପସିକମ୍ ପସରାରୁ କିଲୋ ଦୁଇ କିଲୋ କିଣି ନେଇଛନ୍ତି ଗ୍ରାହକ । ଗତ ତିନି ମାସ ପୂର୍ବେ ଆଇଟିଡିଏ ଯୋଗାଇଥିବା ବିହନକୁ ନେଇ ସିୱାଇଏସଡ଼ିର ସହଯୋଗରେ ଭଞ୍ଜପଦରରେ ପାଞ୍ଚ ଜଣ ଚାଷୀ ପାଞ୍ଚ ଏକର ଜାମିରେ ଏହି ଚାଷ କରିଥିଲେ । ଭଲ ଫସଲ ଅମଳ ହୋଇଥିବା ସିୱାଇଏସଡ଼ିର କର୍ମକର୍ତ୍ତା ବଂଗାରୁ ଦିସାରି ଜଣାଇଛନ୍ତି । ଚାଷର ଲାଭକୁ ଦେଖି ଭବିଷ୍ୟତରେ ଏହାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛି ଆଇଟିଡିଏ ।