କୋରାପୁଟ:ରାଜ୍ୟ ସରକାର, ଓଏମସି ଏବଂ ମୈତ୍ରୀ କମ୍ପାନୀ ଉପରୁ ଆସ୍ଥା ହରାଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଡିଙ୍ଗାମାଳୀ ଶ୍ରମିକ ସଙ୍ଗଠନର ଆନ୍ଦୋଳନ ପ୍ରସଙ୍ଗ । ଦୀର୍ଘ 83 ଦିନ ପରେ ଚାଲିଥିବା ଏହି ଆନ୍ଦୋଳନ ମଙ୍ଗଳବାର ଠାରୁ ସାମୟିକ ଭାବେ ସ୍ଥଗିତ ହୋଇଛି । ଏନେଇ ସଙ୍ଗଠନର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।
ଲକ୍ଷ୍ମୀପୁର ନିକଟସ୍ଥ କୋଡିଙ୍ଗାମାଳୀ ବକ୍ସାଇଟ ଖଣିରେ ମୈତ୍ରୀ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକ ରାଜ୍ୟର ପ୍ରଚଳିତ ଧାରାରେ ସର୍ବନିମ୍ନ ମଜୁରୀ ଦେବା ପାଇଁ ଦାବି କରିଥିଲେ । ହେଲେ କମ୍ପାନୀ ସେମାନଙ୍କ ଦାବି ଶୁଣିବା ପରିବର୍ତ୍ତେ ଶ୍ରମିକଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ କରିଥିଲେ । ଏପରିକି 34 ଜଣ ସ୍ଥାନୀୟ ଶ୍ରମିକଙ୍କୁ ଝାଡଖଣ୍ଡରେ ଚାଲିଥିବା କମ୍ପାନୀର ଏକ ୟୁରାନିୟମ ଖଣିକୁ ବଦଳି କରିଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେଇଥିଲେ । ହେଲେ ସରକାର ସେମାନଙ୍କ କଥା ନ ଶୁଣି ମୈତ୍ରୀ କମ୍ପାନୀର ସ୍ବାର୍ଥ ରକ୍ଷା କ୍ଷେତ୍ରରେ ଧ୍ୟାନ ଦେଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଏଥିସହ କିଛି ଶ୍ରମିକ ନେତାଙ୍କ ବିରୁଦ୍ଧରେ ଥାନାରେ ମିଥ୍ୟା କେସ ଦେଇ ହଇରାଣ କରିବାକୁ ଚେଷ୍ଟା କରାଯାଉଥିବା ମଧ୍ୟ ଶ୍ରମିକ ନେତା କୁଳଦୀପ ଆକ୍ଷେପ କରିଛନ୍ତି ।