ଓଡିଶା

odisha

ETV Bharat / state

କାର୍ତ୍ତିକ ବ୍ରତ ଆରମ୍ଭ, ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏହି ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ହବିଷ୍ୟାଳିଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ବିନା ଶୁଳ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଗନ୍ନାଥ ମନ୍ଦିରର ସମ୍ପାଦକ କହିଛନ୍ତି । ଅଧିକ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

By

Published : Oct 11, 2022, 7:11 AM IST

କୋରାପୁଟ: ଆରମ୍ଭ ହେଲା ପୁଣ୍ୟମାସ କାର୍ତ୍ତିକ । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବହୁ ଗୁରୁତ୍ବ ରହିଛି । ଏହି ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ବ୍ରତ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ବିନା ଶୁଳ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଗନ୍ନାଥ ମନ୍ଦିରର ସମ୍ପାଦକ କହିଛନ୍ତି । ମନ୍ଦିର ନିକଟରେ ରହି ଆସନ୍ତା ମାସ ସାରା ହବିଷ କରିବାପାଇଁ ଆଗ୍ରହ ପ୍ରକାଶ କରିଥିବା ବୟସ୍କା ମହିଳାଙ୍କ ପାଇଁ ଆଜି କାର୍ତ୍ତିକ ମାସର ପ୍ରଥମ ଦିନରୁ ମନ୍ଦିର ପରିସରରେ ଥିବା ଯାତ୍ରୀ କୁଟୀରରେ ବିନା ଶୁଳ୍କରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି ।

ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଆଜି ଏହି ଶିବିରର ଉଦଘାଟନରେ ସମୟରେ ସମୁଦାୟ ୬ ଜଣ ଆବେଦନ କରିଥିବା ସୂଚନା ରହିଛି । ତେବେ କାର୍ତ୍ତିକ ମାସ ମଧ୍ୟରେ ଯେତେବେଳେ ବି କେହି ହବିଷ କରିବା ପାଇଁ ଆସନ୍ତି ତାହେଲେ ତାଙ୍କୁ ଏହାର ସୁବିଧା ଯୋଗାଇଦିଆଯିବ ବୋଲି ମନ୍ଦିର ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ବିଗତ ବର୍ଷ ଗୁଡିକରେ ଶ୍ରୀକ୍ଷେତ୍ର ପୁରୀ ଯାଇ ହବିଷ କରୁଥିବାବେଳେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଶାବର ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ରହି ହବିଷ କରିବା ଏକ ଅନନ୍ୟ ସୁଯୋଗ ବୋଲି କହିଛନ୍ତି ହବିଷ୍ୟାଳି ।

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇ ଥିବାବେଳେ, ହବିଷ୍ୟାଳିମାନେ ଗୁଆ ନଡ଼ିଆ ବସାଇ ଚଉରା ମୂଳେ ରଙ୍ଗ ବେରଙ୍ଗର ମୁରୁଜ ପକାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏହି ମାସରେ ଆମିଷ ଭକ୍ଷଣ ଛାଡ଼ି ଶକାହାରି ଭୋଜନ କରି ଜଗନ୍ନାଥଙ୍କ ଶରଣାପନ୍ନ ହେଲେ କୋଟି ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି ।

ଏହା ମଧ୍ୟ ପଢନ୍ତୁ: ଶିବସେନା ଚିହ୍ନ ବିବାଦ: ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମିଳିଲା ମଶାଲ ଚିହ୍ନ

ଏନେଇ ଜଗନ୍ନାଖ ମନ୍ଦିର ସମ୍ପାଦକ ସୂଚନା ଦେଇଛନ୍ତି ଯେ, "ଚଳିତବର୍ଷ ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନଙ୍କ ରହିବା ସହ ପ୍ରସାଦ ସେବନର ବ୍ୟବସ୍ଥା ମନ୍ଦିର ପରିଚାଳନା କମିଟି ତରଫରୁ କରାଯାଇଛି । ବର୍ତ୍ତମାନ ୫ରୁ ୬ ଜଣ ପଞ୍ଜିକୃତ କରିଥିବା ବେଳେ ଆଗାମୀ ଦିନର୍ ଆହୁରି ଭକ୍ତ ଆସିପାରନ୍ତି । ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ହବିଷ କରିବା ପାଇଁ ଆସିବେ ସେମାନେ ବିନା ଶୁଳ୍କରେ ରହିବେ । ଚଳିତ ବର୍ଷ ପ୍ରଥମଥର ପାଇଁ ଏହି ବ୍ୟବସ୍ଥା କରାଯାଇଛି ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details