ଓଡିଶା

odisha

ETV Bharat / state

୨୩୦ ବର୍ଷର ଜଗନ୍ନାଥ ସାଗର ନିଜ ଇତିହାସ-ଐତିହ୍ୟକୁ ଝୁରି ବୁହାଉଛି ଲୁହ, ସଂକୀର୍ଣ୍ଣ ହେଉଛି ବିସ୍ତୀର୍ଣ୍ଣ ଜଳରାଶି - ଅବହେଳିତ ଜଗନ୍ନାଥ ସାଗର

କାଶ୍ମୀର ଡାଲ ହ୍ରଦ ସହ ତୁଳନା ହେଉଥିବା ରାଜାରାଜୁଡ଼ା ଅମଳର ଐତିହାସିକ ଜୟପୁର ଜଗନ୍ନାଥ ସାଗର ଆଜି ହରାଇବାକୁ ବସିଛି ନିଜର ଅସ୍ତିତ୍ବ । ଡ୍ରେନ ପାଣିରେ ଏବେ ବିଷାକ୍ତ ଏହାର ବିସ୍ତୀର୍ଣ୍ଣ ଜଳରାଶି । ଅଧିକ ପଢନ୍ତୁ

ଐତିହ୍ୟ ଖୋଜୁଛି ୨୩୦ ବର୍ଷର ଜଗନ୍ନାଥ ସାଗର
ଐତିହ୍ୟ ଖୋଜୁଛି ୨୩୦ ବର୍ଷର ଜଗନ୍ନାଥ ସାଗର

By

Published : Jan 4, 2022, 7:57 PM IST

କୋରାପୁଟ:ରାଜାରାଜୁଡ଼ା ଅମଳର ଐତିହାସିକ ଜୟପୁରର ଜଗନ୍ନାଥ ସାଗର (Jagannath Sagar) । ଓଡିଶାର ଅନ୍ୟତମ ବିଶାଳ ଜଳାଶୟ (Reservoir)। ଯାହାକୁ ଦିନେ କାଶ୍ମୀରର ଡାଲ ହ୍ରଦ ସହ ତୁଳନା କରାଯାଉଥିଲା, ଆଜି କିନ୍ତୁ ସେ ହରାଇବାକୁ ବସିଛି ନିଜର ଅସ୍ତିତ୍ବ ।

230 ବର୍ଷ ତଳେ ଯାହାର ଆକାର ଥିଲା 400 ଏକର, ଆଜି ତାହା ପୁନଃରୁଦ୍ଧାର ଅଭାବରୁ 190 ଏକରରେ ପହଞ୍ଚିଲାଣି । ଏକଦା ପାନୀୟ ଜଳ ଭାବେ ଜୟପୁରର ତୃଷ୍ଣା ମେଣ୍ଟାଉଥିଲା ଜଗନ୍ନାଥ ସାଗର (jeypore historical pond)। କିନ୍ତୁ ଏବେ ପଙ୍କ, ଦଳ, ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ୩୦ ଫୁଟ ଗଭୀରତାରୁ ୧୨-୧୫ ଫୁଟ ଗଭୀରତାରେ ଆସି ପହଞ୍ଚିଲାଣି ଏହି ସାଗର । ସହରର ଡ୍ରେନ ପାଣିରେ ଏବେ ବିଷାକ୍ତ ଏହାର ବିସ୍ତୀର୍ଣ୍ଣ ଜଳରାଶି ।

ସହାୟତା ମାଗୁଛି ଜୟପୁରର ଜଗନ୍ନାଥ ସାଗର, ସଂକୀର୍ଣ୍ଣ ହେଉଛି ବିସ୍ତୀର୍ଣ୍ଣ ଜଳରାଶି
ଇତିହାସର ମୁକସାକ୍ଷୀ ତଥା କୋରାପୁଟ ଜିଲ୍ଲାର ବ୍ୟବସାୟିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି ଜୟପୁରର ଜଗନ୍ନାଥ ସାଗର । ତଳମୁଣ୍ଡରେ ଜଳସେଚନ ପାଇଁ ତତ୍କାଳୀନ ଜୟପୁର ମହାରାଜାଙ୍କ ଦ୍ବାରା 1792 ମସିହାରେ ଏହାକୁ ଏକ ବିଶାଳ ଜଳାଶୟ ଭାବେ ନିର୍ମାଣ କରାଯାଇଥିଲା । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବହୁ ଟଙ୍କା ଖର୍ଚ୍ଚ କରାଯାଇ ସାଗର କଡ଼ରେ ପାର୍କ ସାଙ୍ଗକୁ ଆଲୋକୀକରଣ ଏବଂ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ ସମୟକ୍ରମେ ଜବରଦଖଲ ହୋଇ ସଙ୍କୁଚିତ ହୋଇଗଲାଣି ଏହାର ବିସ୍ତାରତା । ସାଗର ଜମି ରାଜସ୍ବ ବିଭାଗ ଅଧିନରେ ଥିବା ବେଳେ ମତ୍ସ୍ୟ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ ନିକଟକୁ କାହିଁକି କେତେ ପରିମାଣରେ ଯାଇଛି, ତାହାର ସ୍ପଷ୍ଟ ହିସାବ ଏବେ କାହାରି ପାଖରେ ନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଗବେଷକ ।ଏପଟେ କାହିଁ କେବେଠାରୁ ଏହି ସାଗରରେ ଶୀତ ଓ ବସନ୍ତର ସଂଧିକ୍ଷଣରେ ଦୂରଦୂରାନ୍ତରୁ ବିଭିନ୍ନ ପ୍ରକାରର ପକ୍ଷୀ ଆସିଥାନ୍ତି । କିନ୍ତୁ ବର୍ଷ ପରେ ବର୍ଷ ସାଗର ମଧ୍ୟରେ ପାଣି ଅପେକ୍ଷା ଦଳ ବଢି ଚାଲିଥିବା ଓ ସାଗରର ପରିସୀମା କମିଯାଉଥିବା ଯୋଗୁଁ ପକ୍ଷୀଙ୍କ ସଂଖ୍ୟା ମଧ୍ୟ କମି କମି ଆସୁଥିବା ସେମାନେ ପ୍ରକାଶ କରିଛନ୍ତି । ଅଳିଆ ଆବର୍ଜନା ଭରି ଯାଉଥିବା ଯୋଗୁଁ ଜଗନ୍ନାଥ ସାଗରର ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନ ଉପସ୍ଥାପନ କରିଛି ।

ସାଗରକୁ ଆଧାର କରି ବ୍ୟବସାୟ କରିବା ପାଇଁ ପ୍ରଶାସନ ଆକାଶବାଣୀ ନିକଟରେ ଥିବା ସାଗର ହୁଡାରେ ଚିତ୍ତବିନୋଦନ କେନ୍ଦ୍ର , ପାର୍କ ଓ ବୋଟିଂର ବ୍ୟବସ୍ଥା କରିଥିବା ବେଳେ ସାଗରର ଅପରପଟେ ଆଗରୁ ନିର୍ମାଣ କରାଯାଇଥିବା ପାର୍କ, ରାସ୍ତା ପ୍ରଭୃତିକୁ ଭୁଲିଯାଇ କେବଳ ନୂତନ ନିର୍ମାଣ ପ୍ରତି ଆଗ୍ରହ ପ୍ରଦର୍ଶନ କରିବା କ୍ଷୋଭର ବିଷୟ ବୋଲି ମତ ପ୍ରକାଶ ପାଇଛି । ସହରର ମଇଳା ପାଣି ସାଗର ମଧ୍ୟକୁ ପସିଆସୁଥିବା ବେଳେ ତାକୁ ନିୟନ୍ତ୍ରଣ କରି ସାଗରକୁ ବଞ୍ଚାଇବାର ପ୍ରଚେଷ୍ଟା କରାଯାଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।



ସରକାର ପ୍ରକୃତ ଓ ପ୍ରକୃଷ୍ଟ ଦାୟିତ୍ବରୁ ଖସିଯିବା ପାଇଁ ଚେଷ୍ଟା କରିଥିବା ବେଳେ ସହରର ନାଗରିକ ମଞ୍ଚଗୁଡିକ ଦ୍ୱାରା ଜଗନ୍ନାଥ ସାଗରକୁ ବଞ୍ଚାଇବା ପାଇଁ ସଂଗ୍ରାମ ଜାରି ରହିଛି । ତେବେ ଐତିହାସିକ ସାଗର ହେଉ ବା ମନ୍ଦିର, ଏହାର ପୁନଃରୁଦ୍ଧାର ପାଇଁ ରହିଛି ଅନେକ ଯୋଜନା । ହେଲେ ଜୟପୁର ଜଗନ୍ନାଥ ସାଗର ପାଖରେ ଫେଲ ମାରିଛି ସବୁ ଯୋଜନା । ଯଦି ସରକାରଙ୍କ କୃପାଦୃଷ୍ଟି ନପଡେ ତେବେ ନଷ୍ଟ ହୋଇଯିବ ପ୍ରାକୃତିକ ଶୋଭାରାଜି, ଆଉ ଭାଙ୍ଗିଯିବ ଜୟପୁର ସହରର ଗର୍ବ ଆଉ ଗୌରବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details