ଓଡିଶା

odisha

ETV Bharat / state

ଅନ୍ତେବାସୀ ହେବେ ଆତ୍ମନିର୍ଭରଶୀଳ, ଜୟପୁର ଜେଲରଙ୍କ ଅଭିନବ ପ୍ରୟାସ - ଜେଲରେ ଶିକ୍ଷା

ଜେଲରେ ଅନ୍ତେବାସୀଙ୍କ ମନରେ ସକାରତ୍ମକ ଭାବନା ସୃଷ୍ଟି କରିବା ପାଇଁ ଜେଲରଙ୍କ ଅଭିନବ ପ୍ରୟାସ । ଜଣେ କଏଦୀ କିପରି ଉଦ୍ୟୋଗୀ ହୋଇ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ଚିତ୍ର କଳାକୃତି ସାଙ୍ଗକୁ ସୃଜନଶୀଳତାର ତାଲିମ କେନ୍ଦ୍ର ସ୍ଥାପନ କରିଛନ୍ତି ଜେଲର । ଅଧିକ ପଢନ୍ତୁ...

କାରାଗାର ଅନ୍ତେବାସୀ ହେବେ ଆତ୍ମ ନିର୍ଭରଶୀଳ
କାରାଗାର ଅନ୍ତେବାସୀ ହେବେ ଆତ୍ମ ନିର୍ଭରଶୀଳ

By

Published : Jun 11, 2021, 7:12 PM IST

କୋରାପୁଟ: କଥାରେ ଅଛି ଯଦି ମନ ପବିତ୍ର ଥିବ ତେବେ ଗୋବର ଗାଡିଆ ବି ଗଙ୍ଗା ପରି ଲାଗିବ । ମନ ଯଦି ପବିତ୍ର ଥିବ, ସକାରତ୍ମକ ଭାବନାର ସ୍ବର୍ଣ୍ଣ ଚାଦର ଘୋଡେଇ ହୋଇ ମଣିଷ ନର୍କରେ ବି ସ୍ବର୍ଗୀୟ ଅନୁଭବ ସୃଷ୍ଟି କରିପାରିବ । ଏପରି ଉକ୍ତିର ସ୍ବର୍ଣ୍ଣମୟ ଅଧ୍ୟାୟ ସୃଷ୍ଟି କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଉପକାରାଗାରର ଜେଲର ଲଲାଟେନ୍ଦୁ ଭୂଷଣ ଦାସ । ଜେଲରେ ଅନ୍ତେବାସୀଙ୍କ ମନରେ ସକରାତ୍ମକ ଭାବନା ସୃଷ୍ଟି କରିବା ପାଇଁ ସେ ନେଇଥିବା ପଦକ୍ଷେପ ଆଜି ତାଙ୍କୁ ଜନ ମାନସରେ ଖୁବ୍ ପ୍ରଶଂସିତ କରିପାରିଛି । ଜେଲରୁ ମୁକୁଳିବା ପରେ ଜଣେ କଏଦୀ କିପରି ଉଦ୍ୟୋଗୀ ହୋଇ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ଚିତ୍ର କଳାକୃତି ସାଙ୍ଗକୁ ସୃଜନଶୀଳତାର ତାଲିମ କେନ୍ଦ୍ର ମଧ୍ୟ ସ୍ଥାପନ କରିଛନ୍ତି ।

ଅନ୍ତେବାସୀ ହେବେ ଆତ୍ମନିର୍ଭରଶୀଳ, ଜୟପୁର ଜେଲରଙ୍କ ଅଭିନବ ପ୍ରୟାସ

କଏଦୀଙ୍କୁ ଉଦ୍ୟୋଗୀ କରିବା ପାଇଁ ଜେଲରେ ଅଟାକଳ, ଫିନାଇଲ ପ୍ରସ୍ତୁତ ୟୁନିଟ ସ୍ଥାପନ କରିବା ସହ ହଳଦୀ, ଝାଡୁ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ ତାଲିମ କେନ୍ଦ୍ର ନିର୍ମାଣ କରିଛନ୍ତି ଜେଲର ଲଲାଟେନ୍ଦୁ । ଏଥିରୁ ମଧ୍ୟ କାରାଗାର ମଙ୍ଗଳ ନିଧିକୁ ଆର୍ଥିକ ସହାୟତା ମିଳିପାରୁଛି । ସେହିପରି କଏଦୀଙ୍କ ମାନସିକ ଚାପକୁ ଲାଘବ କରିବା ପାଇଁ ବିଦ୍ୟୁତ ଉପକରଣ, ଧୂପକାଠି ପ୍ରସ୍ତୁତ କରିବା ଭଳି ବୈଷୟିକ ଜ୍ଞାନ କୌଶଳର ଶିକ୍ଷା ପ୍ରଦାନ କରାଯାଉଛି । ଏଥିସହ କାରାଗାରକୁ ଆସୁଥିବା କଏଦୀଙ୍କ ସମ୍ପର୍କୀୟଙ୍କ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି 'ଥିଲେ ଦିଅ, ନଥିଲେ ନିଅ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଯେଉଁଥିରେ କଏଦୀଙ୍କ ସମ୍ପର୍କୀୟ ମଧ୍ୟ ଉପକୃତ ହୋଇ ପାରୁଛନ୍ତି । ସେହିପରି ବିଶ୍ରାମସ୍ଥଳୀ, ଶୌଚାଳୟର ସୁବନ୍ଦୋବସ୍ତ କରିବା ସାଙ୍ଗକୁ କଏଦୀଙ୍କ ସହ ସାକ୍ଷାତକୁ ସୁରକ୍ଷିତ କରିବା ପାଇଁ ସାକ୍ଷାତ ଝରକାକୁ କାଚ ଦ୍ବାରା ପ୍ରତିବନ୍ଧକ ସୃଷ୍ଟି କରି ଟେଲିଫୋନ ମାଧ୍ୟମରେ ଉଭୟ ପକ୍ଷ ବାର୍ତ୍ତାଳାପକୁ ସୁଗମ କରିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । କଳା ପ୍ରତି ଆକୃଷ୍ଟ ଥିବା କଏଦୀଙ୍କୁ ନେଇ ଜେଲ କାନ୍ଥରେ ସୁନ୍ଦର ଆଦିବାସୀ କଳାକୃତିର ଚିତ୍ର ମଧ୍ୟ କରାଯାଇଛି । ଏପରି ଏକ ସୁନ୍ଦର ସକାରତ୍ମକ ପରିବେଶରେ କାମ କରିବାକୁ ବେଶ୍ ଆନ୍ଦିତ ଲାଗୁଛି ବୋଲି ଜେଲ୍ କର୍ମଚାରୀ କହିଛନ୍ତି ।

ବାସ୍ତବରେ ସ୍ରଷ୍ଟାଙ୍କ ଏ ସୃଷ୍ଟିରେ ଏଇଠି ସ୍ବର୍ଗ ଅଛି ଆଉ ଏଇଠି ବି ନର୍କ ଅଛି । ମଣିଷ ନିଜେ ଚାହିଁଲେ ନର୍କରେ ସ୍ବର୍ଗୀୟ ଅନୁଭବ ଆଉ ପଙ୍କରେ ପଦ୍ମ ଫୁଟାଇ ପାରିବ ବୋଲି ଉଦାହରଣ ସୃଷ୍ଟି କରିଛି ଜୟପୁରର ଏହି ସବଜେଲ୍ । ସତେ ଯେପରି ଏ ଜେଲ୍, ଜେଲ୍ ନୁହେଁ ଏକ କର୍ମଶାଳାର ଭ୍ରମ ସୃଷ୍ଟି କରୁଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details