କୋରାପୁଟ: ଓଡିଶା ଓ ଆନ୍ଧ୍ରର ସୀମାନ୍ତ, କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡିବାଲାସାଠାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ଏନେଇ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରର ସମ୍ପାଦକ ଗଦାଧର ପରିଡା ସୂଚନା ଦେଇଛନ୍ତି । କୋଟିଆ ପଞ୍ଚାୟତର 21 ଟି ଗ୍ରାମକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ତିକ୍ତତା ଦୀର୍ଘ ଦିନ ଧରି ଲାଗି ରହିଛି । ଏମାନଙ୍କ ମଧ୍ୟରେ ଆଇନଗତ ଲଢେଇ ଉଚ୍ଚତମ ନ୍ୟାୟାଳୟରେ ଚାଲିଥିବା ବେଳେ ଆନ୍ଧ୍ର ପ୍ରଦେଶ ଦ୍ଵାରା ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଯିବାକୁ ନେଇ ଅନେକ ବାର ଉତ୍ତେଜନା ସୃଷ୍ଟି ହୋଇଛି ।
ତେବେ କୋଟିଆରୁ ଆନ୍ଧ୍ରପ୍ରଦେଶର ସାଲୁର ଆଡକୁ ଲମ୍ବିଥିବା ସଡକରେ ଓଡିଶାର ଶେଷ ଗ୍ରାମ ନେରେଡିବାଲାସାର କିଛି ବାସିନ୍ଦା ସେହି ଗ୍ରାମରେ ଅବହେଳିତ ହୋଇ ରହିଥିବା ଗ୍ରାମଦେବୀଙ୍କ ମନ୍ଦିରର ପୁନରୁତ୍ଥାନ କରିବା ପାଇଁ ଅନୁରୋଧ କରିଥିଲେ । ପରେ ଗଦାଧର ପରିଡାଙ୍କ ଅଧ୍ୟକ୍ଷତାରେ ଗତ ରବିବାର ଦିନ ଏକ ଟିମ ସେହି ଅଞ୍ଚଳକୁ ଗସ୍ତ କରିଥିଲେ । ସେଠାରେ ପହଞ୍ଚିବା ପରେ ସେମାନେ ଅବହେଳିତ ହୋଇ ରହିଥିବା ଦେବୀ ମନ୍ଦିରର ଉନ୍ନତି ପାଇଁ ଯୋଜନା କରୁଥିବା ସମୟରେ ଗ୍ରାମବାସୀ କୋଟିଆରେ ପ୍ରତିଷ୍ଠା କରାଯାଇଥିବା ଜଗନ୍ନାଥ ମନ୍ଦିର ଭଳି ଆଉ ଏକ ମନ୍ଦିର ନେରେଡିବାଲାସାଠାରେ ମଧ୍ୟ ସ୍ଥାପନା କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ କୋଟିଆ ଭଳି ସମ୍ପୂର୍ଣ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସମ୍ଭବ ହେଉନଥିବା କାରଣରୁ ପତିତପାବନ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।