କୋରାପୁଟ:ଜଗା ପ୍ରେମରେ ବିଭୋର ବିଦେଶୀ ନାଗରିକ । ହାତରେ ଜପମାଳା ଧରି ଓଁ ନମୋ ଭଗବତେ ବାସୁଦେବାୟ ଜପ କଲେ ବିଦେଶୀ । କୋରାପୁଟ ସ୍ଥିତ ଜଗନ୍ନାଥ ମନ୍ଦିର ଶାବର ଶ୍ରୀକ୍ଷେତ୍ର ପରିସରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । 3 ଜଣ ଇଟାଲୀ ନାଗରିକ କାଳିଆ ନାମରେ ଜପ କରିଛନ୍ତି । ଶନିବାର ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ସେଠାରେ ଜପକେନ୍ଦ୍ରରେ ଚାଲିଥିବା କାର୍ଯ୍ୟକ୍ରମକୁ ଦେଖି ଜଣେ ଭକ୍ତଙ୍କୁ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ନିଜେ ଜପ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
3 ବିଦେଶୀଙ୍କ ମଧ୍ୟରେଦୁଇ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ମହିଳା ଭକ୍ତ ଜଣକ ଜପର ଉପକାରିତ ସମ୍ପର୍କରେ ବୁଝାଇଥିଲେ । ଏହାପରେ ଜପ କେନ୍ଦ୍ରକୁ ପଶି ଅନ୍ୟମାନଙ୍କ ଭଳି ଜପ ମାଳିକୁ ହାତରେ ଧରି ସେଠାରେ ଜପ କରିବାକୁ ଆରମ୍ଭ କରିଥିଲେ ବୋଲି ଜଗନ୍ନାଥ ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି । ଶାବର ଶ୍ରୀକ୍ଷେତ୍ର ସ୍ଥିତ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଭାବେ ମନ୍ଦିର ପରିସର ମଧ୍ୟରେ କୋଟିଏ ଥର ଜଗନ୍ନାଥ ମନ୍ତ୍ରକୁ ଜପ କରିବା ଓ ଲେଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆସନ୍ତା ଡିସେମ୍ବର ମାସରେ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ପାଳନ ହେବା ପର୍ଯ୍ୟନ୍ତ ଏହି ନାମ ଜପର ପ୍ରକ୍ରିୟା ଜାରି ରହିବ । ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତ୍ତାବହ ସାଜିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିସର । ଏହି ମନ୍ଦିରଟି 1972 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତି ପାଳିତ ହେଉଛି ।