ଓଡିଶା

odisha

ETV Bharat / state

କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନର୍ଜୀବିତ କରିବା ପାଇଁ ଆରମ୍ଭ ହେଲା ଅଭିନବ ପ୍ରକଳ୍ପ - ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ

ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନର୍ଜୀବିତ କରିବା ପାଇଁ ଏକ ଅଭିନବ ପ୍ରକଳ୍ପ ଆରମ୍ଭ ହୋଇଛି । ଇନ୍ଟାକ, କୋଟସ ଓ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଗଦବା ଜନଜାତିି ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

କେରେଙ୍ଗ ବସ୍ତ୍ର ଓ ତନ୍ତ
କେରେଙ୍ଗ ବସ୍ତ୍ର ଓ ତନ୍ତ

By

Published : Nov 27, 2022, 11:34 AM IST

Updated : Nov 27, 2022, 1:02 PM IST

କୋରାପୁଟ:ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନର୍ଜୀବିତ କରିବା ପାଇଁ ଇନ୍ଟାକ, କୋଟସ ଓ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆରମ୍ଭ ହେଲା ଅଭିନବ ପ୍ରକଳ୍ପ । ଇଣ୍ଟାକର ଓଡ଼ିଶା ରାଜ୍ୟ ଶାଖାର ବରିଷ୍ଠ କର୍ମକର୍ତ୍ତା, କୋରାପୁଟ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଅର୍ମାସ, ହସ୍ତତନ୍ତ ବିଭାଗ ଓ ଆଇଟିଡିଏର ବରିଷ୍ଠ ଅଧିକାରୀ ଶନିବାର ଦିନ କାଙ୍ଗରାପଡା ଓ ଗୋଡ଼ିହଞ୍ଜରରେ ଗଦବା ଜନଜାତିର ମହିଳା ଓ ପୁରୁଷଙ୍କ ସହିତ ଆଲୋଚନା କରିଥିଲେ ।

କେରେଙ୍ଗ ବସ୍ତ୍ର

କୋରାପୁଟ ଜିଲ୍ଲାର ବିଶେଷ କରି ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗଦବା ଜନଜାତିର ଲୋକେ ପୁରୁଷ ପୁରୁଷ ଧରି କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ତାକୁ ପିନ୍ଧି ଆସୁଥିଲେ ହେଁ ଗତ କିଛି ବର୍ଷ ହେବେ ସେମାନଙ୍କ ପାଖରେ ଏହି ପାରମ୍ପରିକ ବସ୍ତ୍ର ଓ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ତନ୍ତର ବ୍ୟବହାର କମି ଯାଇଥିବା ନେଇ ଲମତାପୁଟ ବ୍ଲକର ଗଡିହଞ୍ଜର ଗ୍ରାମରେ ବାସ କରୁଥିବା ଗଦବା ଜନଜାତିର ଗବେଷକ କହିଛନ୍ତି । ଜଙ୍ଗଲରେ କେରେଙ୍ଗ ବୃକ୍ଷ ଜଙ୍ଗଲ ନିଆଁରେ ନଷ୍ଟ ପ୍ରାୟ ହୋଇଯାଇଥିବା ବେଳେ ଅନେକ ତନ୍ତ ମଧ୍ୟ ଭାଙ୍ଗିରୁଜି ଯାଇଥିବା ସେ ସୂଚନା ଦେଇଛନ୍ତି ।

ତେବେ ଗତ କିଛି ମାସ ପୂର୍ବେ କୋରାପୁଟ ଜିଲ୍ଲାରେ ଇଣ୍ଟାକର ବିଶେଷଜ୍ଞମାନେ ଆଦିବାସୀ ଜନଜାତିଙ୍କ କଳା ଓ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ କରିବା ସମୟରେ କେରେଙ୍ଗ ବସ୍ତ୍ର ଲୁପ୍ତ ପ୍ରାୟ ହୋଇଯାଉଥିବା ଆଶଙ୍କା କରିଥିଲେ । ଏହି ଆଶଙ୍କାକୁ ବ୍ୟକ୍ତ କରିବା ପରେ ଦିଲ୍ଲୀ ସ୍ଥିତ ଇଣ୍ଟାକ ମୁଖ୍ୟ କାର୍ଯ୍ୟାଳୟ ସ୍ପନ୍ଦିତ ହୋଇ ଏହି ପାରମ୍ପରିକ ବସ୍ତ୍ରର ପୁନରୁଦ୍ଧାର ପାଇଁ ଏକ ଯୋଜନାକୁ ଅନୁମୋଦନ କରିଥିଲେ ବୋଲି ଇଣ୍ଟାକ ଭୁବନେଶ୍ୱରର ବରିଷ୍ଠ ସଦସ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଉ ଇଞ୍ଚେ ଜମି ଛାଡିବୁ ନାହିଁ: ବିଧାୟକ ସୁର ରାଉତରାୟ

ଏହି ଯୋଜନାର ସଫଳ ରୂପାୟନ କରି ଏହି ଲୁପ୍ତ ପ୍ରାୟ କଳା ଓ ବସ୍ତ୍ରକୁ ପୁନର୍ଜୀବିତ କରିବା ପାଇଁ ଇଣ୍ଟାକ, ରାଜ୍ୟ ସରକାର ଓ ଗଦବା ଜନଜାତିର ଲୋକଙ୍କ ମଧ୍ୟରେ ଦେଖାଯାଇଥିବା ଅପୂର୍ବ ଉତ୍ସାହ ଭରି ଦେଇଛି ବୋଲି ଆଇଟିଡିଏର ପ୍ରକଳ୍ପ ଅଧିକାରୀ ସତ୍ୟରଞ୍ଜନ ମହାନ୍ତି ଜଣାଇଛନ୍ତି । କେରଙ୍ଗ ଗଛର ତନ୍ତୁରୁ ସୂତା ବାହାର କରି ସ୍ବତନ୍ତ୍ର ତନ୍ତରେ ବୁଣା ଯାଉଥିବା ଏହି ବସ୍ତ୍ର ଶତାଧିକ ବର୍ଷ ନଷ୍ଟ ନହୋଇ ପିଢ଼ି ପରେ ପିଢ଼ି ବ୍ୟବହୃତ ହେଉଥିବା ଯୋଗୁଁ ଏହା କେବଳ ଏକ ବସ୍ତ୍ର ନୁହେଁ ବରଂ ସଂସ୍କୃତିର ବାର୍ତ୍ତାବହ ବୋଲି କାଙ୍ଗରାପଡ଼ାର ଶିକ୍ଷିତ ଯୁବତୀ ଦିପା ଶୀସା କହିଛନ୍ତି । ଓଡ଼ିଶା ମାଟିରେ ଇଣ୍ଟାକ ଦ୍ଵାରା ଏପରି ଏକ ଯୋଜନା ପ୍ରଥମ ଥର ପାଇଁ କରାଯାଉଥିବା ଯୋଗୁଁ ଏହାର ସଫଳତା ପରେ ରାଜ୍ୟରେ ଅନ୍ୟାନ୍ୟ ଲୁପ୍ତ ପ୍ରାୟ କଳାକୁ ଜୀବନ ଦେବା ପାଇଁ ବାଟ ଖୋଲିଯିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଦେଖାଯାଉଛି ।

ଇଟିଭି ଭାରତ, କୋରାପୁଟ

Last Updated : Nov 27, 2022, 1:02 PM IST

ABOUT THE AUTHOR

...view details