କୋରାପୁଟ: ଟାଉନ ଥାନା ଅଞ୍ଚଳରେ ନାବାଳକ ଅପହରଣ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ଓ ୨ଟି ମୋବାଇଲ ଫୋନ ଜବତ କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟର ଅତିରିକ୍ତ ଏସପି ଉତ୍କଳ କେଶରୀ ଦାଶ ।
ନାବାଳକ ଅପହରଣ ଘଟଣାରେ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ରହିଛି ଜଣେ ନାବାଳକ କୋରାପୁଟ ଟାଉନ ଥାନା ଅଞ୍ଚଳର ଜଣେ ନାବାଳକ ପଡ଼ିଆରେ ଖେଳୁଥିବା ସମୟରେ ତାକୁ ଉଠାଇ ନେଇଥିଲେ କିଛି ଦୁର୍ବୃତ୍ତ । ଏହାପରେ ନାବାଳକକୁ ଭିନ୍ନ ଭିନ୍ନ ଜାଗାରେ ରଖି ଇନଷ୍ଟାଗ୍ରାମ ମାଧ୍ୟମରେ ନାବାଳକଙ୍କ ମାମୁଁଙ୍କୁ ଫଟୋ ଛାଡ଼ିବା ସହ ମେସେଜ କରି ପ୍ରଥମେ ୬୦ ଲକ୍ଷ ପରେ ୩୦ ଲକ୍ଷ ଟଙ୍କା ମାଗିଥିଲେ । ତେବେ ଏହି ଘଟଣାରେ ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଦୁଇଜଣ ହେଉଛନ୍ତି ସୁମିତ କୁମାର ସୁନା ଓ ଅର୍ପିତ ନାୟକ । ଏନେଇ କୋରାପୁଟର ଅତିରିକ୍ତ ଏସପି ଉତ୍କଳ କେଶରୀ ଦାଶ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ ପ୍ରଥମେ ଜଣେ ସୁନା ବେପାରୀଙ୍କ ପୁଅକୁ ଅପହରଣ କରିବା ଯୋଜନା ରହିଥିଲା । କିନ୍ତୁ ବେପାରୀଙ୍କ ପୁଅ ନଆସିବାରୁ ରେଳବାଇ କଲୋନୀର ମାଣିକ ଦାଶଙ୍କ ପୁଅକୁ ଖେଳ ପଡିଆରୁ ଉଠାଇ ନେଇଥିଲେ ଅଭିଯୁକ୍ତ । କୋରାପୁଟ ସହର ନିକଟସ୍ଥ ସୁନାପୁରରେ ଥିବା ଏକ ଖେଳ ପଡିଆରୁ ଅପହୃତ ବାଳକର ସାଙ୍ଗ ସହ ଏକ ବାଇକ ଯୋଗେ ନେଇ ପ୍ରଥମେ କୋରାପୁଟ ଓ ପରେ ଜୟପୁର ସଦର ଅଞ୍ଚଳରେ ଲୁଚାଇ ରଖିଥିଲେ । ପରେ ଇନଷ୍ଟାଗ୍ରାମରେ ଅପହୃତ ନାବାଳକର ଫଟୋ ସହ ମେସେଜ କରି ନାବାଳକର ମାମୁଁଙ୍କୁ ୬୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ମାଗିଥିଲେ ।
ଫରେନସିକ ଲ୍ୟାବ ଓ ସାଇବର ସେଲର ସହାୟତା ଏବଂ ଅପହୃତଙ୍କ ସାଙ୍ଗ ମାନଙ୍କୁ ଜେରା ପରେ ଗତକାଲି ରାତିରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । କେସ ନମ୍ବର ୨୫୪ ଧାରା ୩୬୩, ୩୬୪ଏ, ୩୪.୧୨୦ ବି ଓ ୩୪ ଆଇପିସି ଏବଂ ୬୭ ସି ଆଇଟିଆକ୍ଟରେ ୨ ଜଣଙ୍କୁ କୋର୍ଟ ଚାଲାଣ ସହ ନାବାଳକକୁ ଜୁଭେନାଇଲ କୋର୍ଟକୁ ପଠାଯାଇଥିବା ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ଓ ଟାଉନ ଥାନା ଆଇଆଇସି ଧିରେନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କୋରାପୁଟ