କୋରାପୁଟ: ଗୋଟେ ପଟେ ରାଜ୍ୟ ସରକାର ଖର୍ଚ୍ଚ କାଟ ଉପରେ ଗୁରୁତ୍ବ ଦେଉଥିବାବେଳେ ଅନ୍ୟପଟେ ସରକାରୀ ବାବୁ ନିଜ ବଙ୍ଗଳାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କୋରାପୁଟ ଜିଲ୍ଲାପାଳଙ୍କ ନିଜ ବାସଭବନ ଓ କାର୍ଯ୍ୟାଳୟ ମରାମତି ପାଇଁ ଗତ 5 ବର୍ଷରେ ଖର୍ଚ୍ଚ ହୋଇଛି 1 କୋଟି 25 ଲକ୍ଷ ଟଙ୍କା । ସେହିପରି ପୋଲିସ ଏସପିଙ୍କ ବାସଭବନ ଓ କାର୍ଯ୍ୟାଳୟର ମରାମତି ପାଇଁ ପ୍ରାୟ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ସରକାରୀ ଅଧିକାରୀମାନେ ନିଜ ବାସଭବନ ଓ କାର୍ଯ୍ୟାଳୟକୁ ଚକାଚକ କରିବା ପାଇଁ ସରକାରୀ ତହବିଲରୁ କିପରି ଆଖିବୁଜା ଖର୍ଚ୍ଚ କରୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ବାସଭବନ ତଥା କାର୍ଯ୍ୟାଳୟର ମରାମତି ପାଇଁ ୨୦୧୪ ରୁ ୨୦୧୯ ଭିତରେ ଆଖିବୁଜା ଖର୍ଚ୍ଚ ହୋଇଛି। ୨୦୧୪-୧୫ ରେ ଜିଲ୍ଲାପାଳଙ୍କ ବାସଭବନ ମରାମତି ପାଇଁ ୫ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ କାର୍ଯ୍ୟାଳୟ ପାଇଁ ଖର୍ଚ୍ଚ ହୋଇଛି ୭ ଲକ୍ଷ ୧୮ ହଜାର ଟଙ୍କା। ସେହିପରି ୨୦୧୫-୧୬ ରେ ବାସଭବନ ପାଇଁ ୧୫ ଲକ୍ଷ ୨୧ ହଜାର ଟଙ୍କା ଓ କାର୍ଯ୍ୟାଳୟ ପାଇଁ ୨୪ ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୬-୧୭ରେ ଅପେକ୍ଷାକୃତ କମ୍ ଖର୍ଚ୍ଚ ହୋଇଥିଲାବେଳେ ୨୦୧୭-୧୮ରେ ବାସଭବନ ମରାମତି ପାଇଁ ସାଢେ ୧୦ ଲକ୍ଷ ଓ କାର୍ଯ୍ୟାଳୟ ପାଇଁ ୧୬ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ୨୦୧୮-୧୯ରେ ବାସଭବନ ପାଇଁ ୯ ଲକ୍ଷ ୨୬ ହଜାର ଓ କାର୍ଯ୍ୟାଳୟ ପାଇଁ ୩୦ ଲକ୍ଷ ୧୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। କୋରାପୁଟ ଆରଆଣ୍ଡବି ପକ୍ଷରୁ ଏହି ତଥ୍ୟ ଆରଟିଆଇରେ ଦିଆଯାଇଛି। ଏତେ ଟଙ୍କା କେଉଁଠି ଓ କ’ଣ ପାଇଁ ଖର୍ଚ୍ଚ ହୋଇଛି ତାହା ଜଣାପଡି ନଥିଲେ ମଧ୍ୟ ଏମିତି ଖର୍ଚ୍ଚ ଅଧିକାରୀଙ୍କ ସୌଖିନ ମିଜାଜର ପରିଚୟ ଦେଇଥିବା ଅଭିଯୋଗ ଉଠିଛି।