କୋରାପୁଟ: ହାଇଦ୍ରାବାଦ ସ୍ଥିତ ଇଣ୍ଟରନ୍ୟାସନାଲ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର ଦ ସେମି ଏରିଡ଼ ଟ୍ରପିକ୍ସ (ଇକ୍ରିସାଟ) ତରଫରୁ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରଗତି ସହଯୋଗରେ ଜିଲ୍ଲାର କୋଟପାଡ, ବୋରିଗୁମ୍ମା, ଜୟପୁର, ନନ୍ଦପୁର ଓ କୋରାପୁଟ ବ୍ଲକରେ ଚାଷଜମି ମୃତ୍ତିକା ପରୀକ୍ଷା କରାଯିବା ସହ ତାର ନିରାକରଣ କରାଯାଇଛି । ଏହା ସହ ଆଜି ଜିଲ୍ଲାର ସମସ୍ତ କୃଷି ଅଧିକାରୀଙ୍କୁ ତାଲିମ ପ୍ରଦାନ କରି ଏହି ଅଭିଯାନରେ ସାମିଲ କରାଯାଇଥିବା ଜଣାପଡିଛି।
ଉନ୍ନତ ଫସଲ ସହିତ ମୃତ୍ତିକାରେ ସନ୍ତୁଳନ ପାଇଁ ଇକ୍ରିସାଟର ପ୍ରୟାସ - soil testing centre in koraput
ଇକ୍ରିସାଟ ଓ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରଗତି ସହଯୋଗରେ କୋରାପୁଟର କୋଟପାଡ, ବୋରିଗୁମ୍ମା, ଜୟପୁର, ନନ୍ଦପୁର ଓ କୋରାପୁଟ ବ୍ଲକରେ ଚାଷଜମି ମୃତ୍ତିକା ପରୀକ୍ଷା କରାଯିବା ସହ ତାର ନିରାକରଣ କରାଯାଇଛି।
ଗତ ବର୍ଷ ଜିଲ୍ଲାର ଏହି ପାଞ୍ଚଟି ବ୍ଲକରୁ ୧୨୦୦ ଚାଷୀଙ୍କ ଜମିରୁ ମାଟି ନେଇ ଇକ୍ରିସାଟର କେନ୍ଦ୍ରୀୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରୁ ଜମିରେ ଅଣୁଜୀବସାରର ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିଥିଲା । ପରୀକ୍ଷାକୁ ଆଧାର କରି ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବାରୁ ସେମାନଙ୍କ ଫସଲର ପରିମାଣ ବୃଦ୍ଧି ହୋଇଥିବା କଥା ପ୍ରଗତିର କର୍ମକର୍ତ୍ତା ମୁରଲୀ ଅଧିକାରୀ ଜଣାଇଛନ୍ତି । ଆନ୍ଧ୍ର ଓ କର୍ଣ୍ଣାଟକରେ ସଫଳତାର ସହ ଏହି ପ୍ରକ୍ରିୟାକୁ ପ୍ରଚଳନ କରାଯିବା ପରେ ଓଡ଼ିଶାର କୋରାପୁଟ ଜିଲ୍ଲାର ପାଞ୍ଚଟି ବ୍ଲକରେ ସଫଳତା ମିଳିଛି । ତେଣୁ ଇକ୍ରିସାଟ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକରେ ଏହି ପ୍ରକ୍ରିୟାକୁ ପହଞ୍ଚାଇବାର ଲକ୍ଷ୍ୟ ରଖିଥିବା ଇକ୍ରିସାଟର ବରିଷ୍ଠ ବୈଜ୍ଞାନିକ କେଏଚ ଅନନ୍ତ କହିଛନ୍ତି।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ