ଓଡିଶା

odisha

ETV Bharat / state

‘ପ୍ରଦୀପ ମାଝୀ ମୁଖ୍ୟମନ୍ତ୍ରୀ ହେଲେ କୋରାପୁଟିଆ ଭାବେ ଖୁସି ହେବି’ - ପ୍ରଦୀପ ମାଝୀଙ୍କୁ ନେଇ ପ୍ରତିକ୍ରିୟା

"ବିଜେଡିରେ ମିଶି ପ୍ରଦୀପ ମାଝୀ ମୁଖ୍ୟମନ୍ତ୍ରୀ ହେଲେ ଜଣେ କୋରାପୁଟିଆ ଭାବେ ଖୁସି ହେବି" । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଅଧିକ ପଢ଼ନ୍ତୁ...

କୋଟପାଡରେ ଶକ୍ତି ପ୍ରଦର୍ଶନ କଲେ ତାରା
କୋଟପାଡରେ ଶକ୍ତି ପ୍ରଦର୍ଶନ କଲେ ତାରା

By

Published : Oct 24, 2021, 9:01 PM IST

Updated : Oct 25, 2021, 2:51 PM IST

କୋରାପୁଟ:"କଂଗ୍ରେସ ପ୍ରଦୀପ ମାଝୀଙ୍କୁ ଅନେକ କିଛି ଦେଇଛି । କିନ୍ତୁ ନିଜ ଅସ୍ଥିର ମନୋଭାବ ଯୋଗୁଁ ନୀତି ଓ ଆଦର୍ଶରେ ଅଟଳ ହୋଇରହିଥିବା କଂଗ୍ରେସକୁ ଛାଡ଼ି ସେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶି ପ୍ରଦୀପ ମାଝୀ ମୁଖ୍ୟମନ୍ତ୍ରୀ ହେଲେ ଜଣେ କୋରାପୁଟିଆ ଭାବେ ଖୁସି ହେବି ।" ପ୍ରଦୀପ ମାଝୀ ବିଜେଡିରେ ମିଶିବାକୁ ନେଇ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

‘ପ୍ରଦୀପ ମାଝୀ ମୁଖ୍ୟମନ୍ତ୍ରୀ ହେଲେ କୋରାପୁଟିଆ ଭାବେ ଖୁସି ହେବି’

ଆଜି ନବରଙ୍ଗପୁରରେ ପ୍ରଦୀପ ମାଝୀ ନିଜ ଶକ୍ତି ପ୍ରଦର୍ଶନ କରୁଥିବାବେଳେ କୋରାପୁଟ ଜିଲ୍ଲା କୋଟପାଡ଼ରେ କଂଗ୍ରେସ ଏକ ବିଶାଳ ଜନସମାବେଶ କରି ତାର ପ୍ରତିଉତ୍ତର ରଖିଛି । ଆସନ୍ତା 31 ତାରିଖରେ କଂଗ୍ରେସର ବହୁ ବରିଷ୍ଠ ନେତା ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି । ଅର୍ଥ ଲୋଭରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ନେତାଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ ହୋଇ ରହିଥିବା ନୂତନ ପିଢ଼ିକୁ ନେଇ କିପରି କଂଗ୍ରେସ ବିଜୟ ଯାତ୍ରା ସଂଗଠିତ ହେବ ତାହାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ଆସନ୍ତା ଦିନରେ ବହୁ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେବେ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ନବରଙ୍ଗପୁରରେ ନିଜ ଶକ୍ତି ପ୍ରଦର୍ଶନ କରି ପ୍ରଦୀପ ମାଝୀ ତାଙ୍କ ସହିତ ଅନେକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଉଛନ୍ତି ବୋଲି କରିଥିବା ଘୋଷଣାକୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଖଣ୍ଡନ କରିଛନ୍ତି । କିଛି ନେତା ପ୍ରଦୀପଙ୍କ ସହ ବିଜେଡି ଆଡ଼କୁ ଢଳିଛନ୍ତି । ଏବେବି ଅନେକ ନେତା କଂଗ୍ରେସରେ ଅଛନ୍ତି ବୋଲି ସେ ଦୃଢ଼ୋକ୍ତି ଦେଇଛନ୍ତି ।

ପ୍ରଦୀପ ମାଝୀଙ୍କୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସବୁବେଳେ ସହଯୋଗ କରିଆସିଛି । ଜନତାଙ୍କ ସେବା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ଦେଇଥିବା କଥା ସେ କହିଛନ୍ତି । କଂଗ୍ରେସ ପକ୍ଷରୁ ସମସ୍ତ ସୁଯୋଗ ଓ ସମର୍ଥନ ସତ୍ତ୍ବେ ପ୍ରଦୀପ ଜନତାଙ୍କ ସେବା ଠାରୁ ନିଜକୁ ଦୂରେଇ ରଖି ନିଜ ସେବା ଉପରେ ଅଧିକ ଧ୍ୟାନ ଦେଇଥିଲେ । ଯାହାଫଳରେ ନିର୍ବାଚନରେ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ବୋଲି କଂଗ୍ରେସର ପୁରୁଖା ନେତା ରମେଶ ଜେନା ତାତ୍ସଲ୍ୟ କରିଛନ୍ତି ।


କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Oct 25, 2021, 2:51 PM IST

ABOUT THE AUTHOR

...view details