କୋରାପୁଟ: ଝିଅଙ୍କ ବିବାହର ଉପଯୁକ୍ତ ବୟସ କେତେ ? ସଂସାର ବୋଝ ଉଠେଇବା ସୀମା 18 ନା 21? ବଦଳିବ କି ବିବାହ ବୟସ ? କେନ୍ଦ୍ର ସରକାରଙ୍କ ସୂଚନା ପରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ଏନେଇ ଆଲୋଚନା ଜୋର ଧରିଛି । କାରଣ ଏହି ଜିଲ୍ଲାରେ ଅଧିକାଂଶ ଝିଅଙ୍କ ପାଇଁ ଷୋହଳ ବର୍ଷରେ ହିଁ କିଶୋରୀ ଜୀବନରେ ଭଟ୍ଟା ପଡିଯାଉଛି । ମାତ୍ର 14 ରୁ 15 ବର୍ଷ ମଧ୍ୟରେ ବାଲ୍ୟବିବାହ କରିଛନ୍ତି ଜିଲ୍ଲାର ଅଧିକାଂଶ ଝିଅ । ଏପରିସ୍ଥଳେ ସର୍ବନିମ୍ନ ବିବାହ ବୟସ ସୀମାକୁ ତିନି ବର୍ଷ ବଢ଼ାଇ ଏକୋଇଶି ବର୍ଷରେ ପହଞ୍ଚାଇଛନ୍ତି କେନ୍ଦ୍ର ସରକାର । ହେଲେ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସରକାରଙ୍କ ନିଷ୍ପତ୍ତି ପ୍ରୟୋଗ କରିବା ସହଜ ହୋଇନପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
କୋରାପୁଟ ଜିଲ୍ଲାରେ ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସହ କାର୍ଯ୍ୟ କରିଥିବା ଆକ୍ସନ ଏଡ଼ ର କର୍ମକର୍ତା ରାଜଲକ୍ଷ୍ମୀ ବେହେରାଙ୍କ କହିବାନୁଯାୟୀ କୋରାପୁଟ ଜିଲ୍ଲାରେ ବାଲ୍ୟ ବିବାହର ମାତ୍ରା 34.9% ରହିଛି ଯାହା ରାଜ୍ୟର ହାରଠାରୁ ଢ଼େର ଅଧିକା । ଗତ ବର୍ଷକ ମଧ୍ୟରେ କୋରାପୁଟ ଜିଲ୍ଲାରେ ବନ୍ଦ କରାଯାଇଥିବା ବାଲ୍ୟବିବାହ ଗୁଡିକର ସମୀକ୍ଷା କରାଗଲେ ବାହାହେବା ପାଇଁ ପ୍ରଚେଷ୍ଟା କରୁଥିବା ଝିଅଙ୍କ ବୟସ 14 ରୁ 15 ବର୍ଷ ରହିଛି ଓ ଜିଲ୍ଲାରେ 17 ବର୍ଷ ବୟସ ପର୍ଯ୍ୟନ୍ତ ଅବିବାହିତ ରହିଥିବା ଝିଅଙ୍କ ସଂଖ୍ୟା ମାତ୍ର 20% ରୁ 30 % ରହୁଥିବା ଦେଖାଯାଉଥିବା ସେ ଜଣାଇଛନ୍ତି ।
ଏପରି ସ୍ଥଳେ କେନ୍ଦ୍ର ସରକାରଙ୍କ ଦ୍ବାରା ଝିଅଙ୍କ ବିବାହ ବୟସକୁ 21 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ନିଷ୍ପତ୍ତି କୁ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ବାସ୍ତବ ରୂପ ଦେବା ସହଜ ହେବ ନାହିଁ ବୋଲି ମତ ରଖିଛନ୍ତି । କୋରାପୁଟ ଜିଲ୍ଲାରେ ଝିଅ ପୁଅଙ୍କ 14 -15 ବର୍ଷ ବୟସରେ ପାଠ ଛାଡ଼ିଦେବା ବାଲ୍ୟ ବିବାହ ର ସମ୍ଭାବନାକୁ ଅଧିକ ଶକ୍ତି ପ୍ରଦାନ କରୁଥିବା ଯୋଗୁଁ ବର୍ତମାନ18 ବର୍ଷ ପର୍ଯ୍ୟନ୍ତ ଦିଆଯାଉଥିବା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ 21 ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରି ଜୀବନକୌଶଳର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇ ଝିଅପୁଅଙ୍କୁ ଗଠନମୂଳକ ଜୀବନ ପ୍ରତି ଆକୃଷ୍ଟ କରାଗଲେ ଏହି ପ୍ରୟାସ ର ସୁଫଳ ମିଳିପାରିବ ।
କୋରାପୁଟ ଜିଲ୍ଲାରେ ଗତ ନଭେମ୍ବର ମାସରୁ ବାଲ୍ୟ ବିବାହକୁ ବିରୋଧ କରି ଆସିଥିବା କିଶୋରୀଙ୍କୁ ଅପରାଜିତା କାର୍ଯ୍ୟକ୍ରମର ବାର୍ତାଦୂତ ଭାବେ ପରିଗଣିତ କରି ସେମାନଙ୍କ ନିଜ ସାମର୍ଥ୍ୟ ବୃଦ୍ଧି ସହିତ ସମାଜରେ ବାଲ୍ୟ ବିବାହକୁ ବିରୋଧ କରିବାର ପ୍ରୟାସକୁ ତ୍ୱରାନ୍ୱିତ କରିବାର ପ୍ରୟାସ କରାଯାଇଛି । ଏହିପରି ପ୍ରକ୍ରିୟାରେ ସାମିଲ ହୋଇ ଅପରାଜିତା ଦୂତ ସାଜିଥିବା ଛାତ୍ରୀ କେ.ପାୟଲ ଙ୍କ ମତରେ 21 ବର୍ଷ ବୟସରେ ବିବାହ ଝିଅ ମାନଙ୍କୁ ସକାରାତ୍ମକ ଜୀବନ ବଂଚିବାରେ ଅଧିକ ସୁଯୋଗ ପ୍ରଦାନ କରିବ । କୋରାପୁଟ ଜିଲ୍ଲାରେ ଶୋଭା , ଏକତା ଓ ୱାର୍ଡ ଭଳି ସ୍ବେଚ୍ଛାସେବୀ ସଂଗଠନ ର ମିଳିତ ପ୍ରୟାସରେ ଚାଇଲଡ଼ ଲାଇନ ମାଧ୍ୟମରେ ଗତ ପାଂଚ ବର୍ଷ ମଧ୍ୟରେ 800 ରୁ ଉର୍ଧ୍ବ ବାଲ୍ୟବିବାହାକୁ ଅଟକାଯାଇପାରିଥିବା ଚାଇଲଡ଼ ଲାଇନ ର କର୍ମକର୍ତା ସୁସ୍ମିତା ବାଙ୍କା ଜଣାଇଛନ୍ତି ।