କୋରାପୁଟ:ମହୁ ସ୍ବାସ୍ଥ୍ୟ ପକ୍ଷେ ହିତକର । ସେ ପୁଣି ବଣୁଆ ମହୁମାଛି କଥା ଭାବିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ମହୁମାଛି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ହେଲେ ମହୁମାଛି ସହ ବନ୍ଧୁତା ଓ ପରିବାର ସଦସ୍ୟ ହେବା କଥା କେବେ ଦେଖିବାକୁ ମିଳିନିଥିଲା । କୋରାପୁଟର ଏକ ପରିବାର ମହୁମାଛିକୁ ନିଜ ଘରର ସଦସ୍ୟ କରିଛନ୍ତି । ଯାହା ବନ୍ଧୁତ୍ବର ଏକ ଉଦାହରଣ ସୃଷ୍ଟି କରିଛି । ମହୁମାଛି ତାଙ୍କ ଘରେ ବସା ବାନ୍ଧିବାକୁ ପସନ୍ଦ କରିଥିବାକୁ ସେ ସୌଭାଗ୍ୟ ବୋଲି ଭାବନ୍ତି ପରିବାର ଲୋକ ।
ଜଣେ ପରିବେଶବିତ ତଥା ଆଦିବାସୀ ଜୀବନ ଧାରାର ଗବେଷକ ଭାବେ ପରିଚିତ ମିହିର ଜେନାଙ୍କ ପରିବାର ମହୁମାଛିକୁ ବୁଝିଛନ୍ତି । ସେମାନଙ୍କ କାର୍ଯ୍ୟ ପ୍ରଣାଳୀକୁ ନିକଟରୁ ପରଖିଛନ୍ତି ଓ ସେମାନଙ୍କ ସହ ବିନା ଭୟରେ ସାଥି ହୋଇ ବସବାସ କରିଛନ୍ତି । ମିହିର ଜେନାଙ୍କ କହିବା ଅନୁଯାୟୀ ଜୈବ ବିବିଧତାର ସଂରକ୍ଷଣରେ ମହୁମାଛିଙ୍କ ବହୁବିଧ ଯୋଗଦାନ ରହିଥିବା ଯୋଗୁଁ ସେମାନଙ୍କ ପ୍ରତି ତାଙ୍କର ଏକ ସମ୍ମାନ ରହିଛି । ତେଣୁ ଯେତେବେଳେ ମହୁମାଛି ତାଙ୍କ ଘରର ବାଲକୋନୀକୁ ସେମାନଙ୍କ ନୂତନ ଆବାସ ସ୍ଥଳୀ ଭାବେ ଚୟନ କରି ମହୁଫେଣା ତିଆରି କରିବାକୁ ଆରମ୍ଭ କଲେ ସେ ସେମାନଙ୍କୁ ଆଗ୍ରହର ସହ ସ୍ଵାଗତ କରିଥିଲେ । ଏହା ସହିତ ମହୁ ଓ ମହୁମାଛି ଘରେ ରହିଲେ ପରିବାରରେ ସମୃଦ୍ଧି ଆସିଥାଏ ବୋଲି ବିଶ୍ଵାସ ରହିବା ସହ ପୌରଣିକ ଉପାଖ୍ୟାନରେ ଶ୍ରୀକୃଷ୍ଣଙ୍କ ମାଧବ ବେଶରେ ମହୁମାଛିର ସ୍ଥାନ ପାଇବା ଓ ଶିବଙ୍କ ଏକ ରୂପରେ ତ୍ରିଶୂଳରେ ମହୁମାଛି ରହିଥିବା ଭଳି ବର୍ଣ୍ଣନା ସେମାନଙ୍କ ପ୍ରତି ଆହୁରି ଅଧିକ ସମ୍ମାନ ବୋଧ ଜାଗ୍ରତ କରିଛି ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।