କୋରାପୁଟ:ନିକଟରେ ରାଜ୍ୟରେ ଆୟୋଜିତ ହୋଇଥିବା ପୁରୁଷ ହକି ବିଶ୍ବକପ ଶେଷ ହୋଇଛି । ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଆୟୋଜିତ ହୋଇଥିଲା । ଏହାର ସଫଳତା ଓଡ଼ିଶା ତଥା ସମଗ୍ର ବିଶ୍ବରେ ଚର୍ଚ୍ଚିତ ହୋଇଥିବା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି । ମହାଦେଇପୁଟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇଛି ହକି ବିଶ୍ବକପ । ହାତରେ ହକି ଷ୍ଟିକ ଧରି ଅଭ୍ୟାସ କରୁଛନ୍ତି ଆବାସିକ ବିଦ୍ୟାଳୟର ଛାତ୍ର ।
ହକି ବିଶ୍ବକପକୁ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ଫଳରେ ଏହାକୁ ଦେଖିବା ପାଇଁ ଓ ହକି ଖେଳ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି ହୋଇଥିଲା । ବହୁ ପୂର୍ବରୁ ହକି ଖେଳ ସମ୍ପର୍କରେ ତାଲିମ ନେଇସାରିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଜାଗ୍ରତ ହୋଇଥିଲା । ଏହି ଆଗ୍ରହକୁ ସାକାର ରୂପ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା କରାଯାଇଥିବା କହିଛନ୍ତି ବିଦ୍ୟାଳୟ ପ୍ରଧାନଶିକ୍ଷକ । ପାଖ ଆଖରେ ମିଳୁଥିବା ବାଉଁଶ ଓ ସାଧାରଣ ବଲକୁ ନେଇ ପିଲାଙ୍କୁ ନେଇ ବିଦ୍ୟାଳୟରେ ହକି ଖେଳ ଆରମ୍ଭ କରିବାରେ ସକ୍ଷମ ହୋଇଥିଲେ । ହକି ବିଶ୍ବ କପ ଖେଳର ଶୁଭାରମ୍ଭଠାରୁ ଆରମ୍ଭ କରି ଖେଳ ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ଖେଳ ଦେଖାଇବା ସହ ସେମାନଙ୍କ ମଧ୍ୟରେ ଭାରତର ଜାତୀୟ ଖେଳ ହକି ତଥା ଏହାକୁ ଖେଳି ଧ୍ୟାନଚାନ୍ଦଙ୍କ ଭଳି ସୁନାମଧନ୍ୟ ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ ଖେଳାଳି ତଥା ହକି ଜଗତରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ଦିଲୀପ ତିର୍କୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ କ୍ରୀଡ଼ାବିତଙ୍କ ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିବାର ସୁଯୋଗ ପ୍ରଦାନ କରାଯାଇଥିଲା ।