କୋରାପୁଟ: ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷାରେ ବେହାଲ କୋରାପୁଟବାସୀ । ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ରାସ୍ତାଘାଟରେ ପାଣି ଜମି ରହିବାରୁ ଯାତାୟତ ପ୍ରଭାବିତ ହୋଇଛି । ତିନିଦିନ ହେଲା ଜିଲ୍ଲାରେ ବର୍ଷା ଲାଗି ରହିଛି । ବୁଧବାର ସକାଳ 8ଟାରୁ 5ଟା ମଧ୍ୟରେ ଜିଲ୍ଲାରେ 395.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ସୋମବାର 937.1 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର 624 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣି ପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ବର୍ଷା ଲାଗି ରହିବାରୁ ଚାଷି ଜମି ଗୁଡିକ ପାଣିରେ ବୁଡି ରହିଛି । ଫଳରେ ଚାଷ ନଷ୍ଟ ହେବା ନେଇ ସ୍ଥିତି ଉପୁଜିଛି । ନନ୍ଦପୁର ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହୋଇଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବଙ୍ଗଳାଗୁଡା ବ୍ରିଜ ଉପରେ ୬ ଫୁଟର ପାଣି ପ୍ରବାହିତ ହେଉଥିବାରୁ କୋରାପୁଟରୁ ରାୟଗଡା ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଉପ ଜିଲ୍ଲାପାଳ ଏବଂ ତହସିଲଦାର ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ବର୍ଷା ଯୋଗୁଁ ଜିଲ୍ଲାରେ ୮ଟି କଚ୍ଚା ଘର ଆଂଶିକ ଭାଙ୍ଗିଥିବା ସୂଚନା ମିଳିଥିବା ବେଳେ ବର୍ଷା ଜନିତ କ୍ଷୟକ୍ଷତି ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ବ୍ଲକର ବିଡିଓ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ।