କୋଟିଆରେ କମିଛି ଶିଶୁ ମୃତ୍ୟୁହାର କୋରାପୁଟ: ବଦଳୁଛି କୋଟିଆ ଚିତ୍ର । ଲୋକଙ୍କ ପାଖରେ ପହଞ୍ଚୁଛି ସ୍ବାସ୍ଥ୍ୟସେବା । ସ୍ୱାସ୍ଥ୍ୟ ସେବାର ସୁବିଧା ଓ ସ୍ବାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଫଳରେ କୋଟିଆରେ ଶିଶୁ ମୃତ୍ୟୁହାର କମି ପାରିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ଓ ଶିଶୁ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ସୁନ୍ଦର ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଦିନରେ ଅପପୃଷ୍ଟି ଯୋଗୁଁ ପ୍ରତିଦିନ ଶହଶହ ଶିଶୁ ମୃତ୍ୟୁ ବରଣ କରୁଛନ୍ତି । ତେଣୁ ଅପପୃଷ୍ଟି ରୋକିବା ନିମନ୍ତେ ସରକାର ନେଇଥିବା ବିଭିନ୍ନ ପ୍ରକାର ସଚେତନମୂଳକ ପଦକ୍ଷେପ ନେଇ ଏଠାରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଛି ।
ଜଣେ ମହିଳା ଗର୍ଭବତୀ ହେବା ପର ଠାରୁ ଶିଶୁ ଜନ୍ମ ଦେବା ପର୍ଯ୍ୟନ୍ତ ତଦାରଖ କରିବା ପାଇଁ ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ନିଯୁକ୍ତି କରାଯାଇଛି । ଗର୍ଭବତୀ ହେବା ଦିନଠାରୁ ଶିଶୁ ଜନ୍ମ ହେବାର 6 ମାସ ହେଉଛି ମାଆ ଓ ପିଲାଙ୍କ ପାଇଁ ବିଶେଷ ଯତ୍ନ ନେବାର ସମୟ । ଏହି ସମୟରେ ମାଆର ଯତ୍ନ ନେଲେ ସୁସ୍ଥ ଶିଶୁ ଜନ୍ମ ହୋଇଥାଏ । ତେଣୁ ଗର୍ଭବତୀ ଏବଂ ଶିଶୁର ଉଚିତ ଯତ୍ନ ନେବାପାଇଁ ଆଲୋଚନା ଚକ୍ରରେ ପରାମର୍ଶ ଦିଆଯାଇଛି ।
ପ୍ରତି ମାସରେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ଜରୁରୀ ରହିଛି । ତେଣୁ କୋଟିଆବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବା ନିମନ୍ତେ ଏକ ମେଡିକାଲ ସ୍ଥାପନ କରାଯାଇଛି । ଏହି ମେଡିକାଲରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଗର୍ଭବତୀ ମହିଳାମାନେ ଘରେ ପ୍ରସୂତି ନ କରି ମେଡିକାଲରେ କରାଇଲେ ମାଆ ଓ ଶିଶୁ ସୁସ୍ଥ ରହିବେ । କୋଟିଆରେ ଥିବା ସମସ୍ତ ପ୍ରସୂତିମାନଙ୍କୁ ମେଡିକାଲରେ ପ୍ରସୂତି କରାଇବା ପାଇଁ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଆହ୍ୱାନ ଦିଆଯାଇଥିଲା ।
ଏନେଇ କୋଟିଆ ମେଡିକାଲ ଅଫିସର କହିଛନ୍ତି, "କୋଟିଆ ଅଞ୍ଚଳରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି । କୋଟିଆ ଭଳି ଏକ ଅପହଞ୍ଚ ଇଲାକାରେ ଅପପୃଷ୍ଟି ସମେତ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି । ଏହି ମେଡିକାଲରେ ମହିଳାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସ ସେବା ମଧ୍ୟ ସଠିକ ଭାବେ ଯୋଗାଇ ଦିଆଯାଇଛି । କିନ୍ତୁ ମେଡିକାଲରେ ମାଆ ଗୃହ ନଥିବାରୁ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ମହିଳାଙ୍କ ଏହି ସମସ୍ୟା ମଧ୍ୟ ଦୂର ହୋଇପାରନ୍ତା ।" ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ ଓ କୋଟିଆ ମେଡିକାଲର ଡାକ୍ତର ରୋଶନ କୁମାର ସେନାପତି ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗାଁ କଲ୍ୟାଣ ସମିତି ଜିଲ୍ଲା ସଂଯୋଜକ ନୀଳାଞ୍ଚଳ ପଟ୍ଟନାୟକଙ୍କ ସମେତ କୋଟିଆ ପଞ୍ଚାୟତର ଆଶା ଓ ଅଙ୍ଗନବାଡି କର୍ମୀ, ମାଆ ଓ ଶିଶୁ ଯୋଗ ଦେଇଥିଲେ ।
ଇଟିଭି ଭାରତ, କୋରାପୁଟ