କୋରାପୁଟ: ଆସନ୍ତାକାଲି ଖୋଲିବ ଦଶମ ଶ୍ରେଣୀଙ୍କ ପାଇଁ ସ୍କୁଲ । ଏ ଘୋଷଣା ରାଜ୍ୟ ସରକାର କରିବା ପରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ ମନରେ ଖୁସି ଲହରି ଖେଳି ଯାଇଛି । କୋରାପୁଟ ବ୍ଲକର ମହାଦେଈପୁଟ ଠାରେ ଥିବା ସେବାଶ୍ରମ ତଥା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭର୍ତ୍ତିଭୂମିକୁ ସଜଡା ଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ବାଡି ବଗିଚା ସଫା କରିବା ସହ ଶୌଚାଳୟ ଓ ଛାତ୍ରାବାସରେ ଆବଶ୍ୟକ ଥିବା ମରାମତି ମଧ୍ୟ କରାଯାଉଛି । ସମଗ୍ର ବିଦ୍ୟାଳୟକୁ କୋଭିଡ ନିୟମାବଳୀ ପ୍ରକାରେ ସାନିଟାଇଜ କରାଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଥ ଜଣାଇଛନ୍ତି ।
ଅନେକ ଦିନ ଧରି ଅନଲାଇନରେ ପାଠପଢୁଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହକୁ ଆସୁଥିବା ଯୋଗୁଁ ସେମାନଙ୍କ ପାଇଁ ପାଠାଗାର ଓ ଖେଳ ସାମଗ୍ରୀ , ବିଜ୍ଞାନାଗାରକୁ ମଧ୍ୟ ପ୍ରସ୍ତୁତ କରାଯାଇଥିବା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୂଚନା ଦେଇଛନ୍ତି । ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମଧ୍ୟ ବେଶ ଉତ୍କଣ୍ଠାର ସହ ସୋମବାର ଦିନ ପାଇଁ ଅପେକ୍ଷା କରିଛନ୍ତି । ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ବିଦ୍ୟାଳୟ ଖୋଲୁଥିବା ସୂଚନା ମୋବାଇଲ ଯୋଗେ ଦେଇଦିଆଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବ୍ୟକ୍ତିଗତ ଭାବେ ଏହି ସୂଚନା ଦେଉଥିବା ଏହି ବିଦ୍ୟାଳୟର ଛାତ୍ର ଜଣାଇଛନ୍ତି ।