ଓଡିଶା

odisha

ETV Bharat / state

ସେରୁବନ୍ଧ ପର୍ବତ ଉପରେ ସରକାରଙ୍କ ନଜର, ଅଞ୍ଚଳବାସୀଙ୍କ ବିରୋଧ - Serubandha mountain

ଆଦିବାସୀଙ୍କ ଜୀବନ ପାହାଡ଼, ପର୍ବତ ଓ ଜଙ୍ଗଲ ସହ ନିବିଡ଼ ଭାବେ ଜଡିତ । ଏଣୁ ପଟାଙ୍ଗିର ସେରୁବନ୍ଧ ପର୍ବତରେ ନାଲକୋ ଦ୍ୱାରା ବକ୍ସାଇଟ ଖନନକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jun 20, 2019, 12:00 AM IST

କୋରାପୁଟ: ପଟାଙ୍ଗିର ସେରୁବନ୍ଧ ପର୍ବତରେ ନାଲକୋ ଦ୍ୱାରା ବକ୍ସାଇଟ ଖନନ କରିବାକୁ ସରକାର ଯୋଜନା ଚଳାଇଛନ୍ତି । ହେଲେ ଏଥିଲାଗି ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଆରମ୍ଭରୁ ଝଟକା ଲାଗିଛି । ଗ୍ରାମସଭାରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାଙ୍ଗି ନିକଟସ୍ଥ ମାଳିପୁଟ ଠାରେ ସ୍ୱତନ୍ତ୍ର ଗ୍ରାମସଭା ଡକାଯାଇଥିଲା । ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି ଭାବେ ବଦଳାଇବାକୁ ଆଲୋଚନା ଚାଲିଥିଲା । ତେବେ ଏହା ଖଣି ଖନନ ଲାଗି ନାଲକୋକୁ ହସ୍ତାନ୍ତର କରାଯାଉଥିବାର ଅଭିଯୋଗ କରି ସେରୁବନ୍ଧ ସୁରକ୍ଷା ସମିତି ଏହାର ତୀବ୍ର ବିରୋଧ କରିଛି ।

ସେରୁବନ୍ଧ ପର୍ବତ ସୁରକ୍ଷା ସମିତିର ସଭାପତି ଭଗବାନ ଚପାଡିଙ୍କ କହିବା ଅନୁଯାୟୀ ଆଦିବାସୀଙ୍କ ଜୀବନ ପାହାଡ଼, ପର୍ବତ ଓ ଜଙ୍ଗଲ ସହ ନିବିଡ଼ ଭାବେ ଜଡିତ । ଏହି ଅଞ୍ଚଳର ଲୋକଙ୍କ ବିକାଶ ଓ ସେମାନେ ଜୀବନ ଜିଉଁଥିବା ପରିବେଶର ସୁରକ୍ଷା ନେଇ ଠୋସ ପ୍ରମାଣ ନମିଳିଲା ପର୍ଯ୍ୟନ୍ତ କାହାରିକୁ ସେଠାରୁ ଇଞ୍ଚେ ମାଟି ଦିଆଯିବ ନାହିଁ । ପ୍ରଥମେ ନାଲକୋ ଅଞ୍ଚଳର ବିକାଶ ପାଇଁ ଶ୍ଵେତ ପତ୍ର ପ୍ରକାଶ କରି ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭକଲେ ହିଁ ଲୋକେ ଆଲୋଚନା ପାଇଁ ବିଚାର କରିବେ ବୋଲି ସମିତି ସୂଚାଇଦେଇଛି ।

ଏଥିସହ ସଭାରେ ଉପସ୍ଥିତ ଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଏବଂ ବ୍ଲକ କଂଗ୍ରେସ କର୍ମକର୍ତ୍ତା ମାନେ ମଧ୍ୟ ସମାନ ଦାବି ଉଠାଇଥିଲେ । ତେଣୁ ଉପସ୍ଥିତ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପୁଣି ଆଉ ଏକ ଦିନ ଗ୍ରାମସଭା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜିର ଗ୍ରାମସଭାରେ ଦେଖାଯାଇଥିବା ବିରୋଧ ଫଳରେ ପଟ୍ଟାଙ୍ଗି, କୋଟିଆ ଓ ନୂଆଗାଁ ଠାରେ ହେବାକୁ ଥିବା ଗ୍ରାମସଭା ଅନିଶ୍ଚିତତାର ଘେର ମଧ୍ୟକୁ ଚାଲିଆସିଛି ।

ଗତ କିଛିଦିନ ପୂର୍ବେ ପଟ୍ଟାଙ୍ଗି ପଞ୍ଚାୟତ ସମିତି ଦ୍ୱାରା ମାଳିପୁଟ, ପଟ୍ଟାଙ୍ଗି, ନୂଆଗାଁ ଓ କୋଟିଆ ପଞ୍ଚାୟତକୁ ଚିଠି ପଠାଯାଇଥିଲା । ଏଥିରେ ଗ୍ରାମସଭାରେ କମ୍ପାନୀ ମାନଙ୍କ ସହିତ ଆଲୋଚନା କରାଯାଇ ଖଣି ଖନନ ପ୍ରକ୍ରିୟାରେ ଉପୁଜୁଥିବା ବାଧାର ସମାଧାନ କରିବା କଥା କୁହାଯାଇଥିଲା । ହେଲେ ଆଜି ନାଲକୋ କିମ୍ବା ଅନ୍ୟ କୌଣସି କମ୍ପାନୀର କର୍ତ୍ତୃପକ୍ଷ ବୌଠକରେ ଉପସ୍ଥିତ ନଥିଲେ । ଏଣୁ ଗ୍ରାମସଭା ଡାକିବା ପଛରେ ପ୍ରଶାସନର ବାସ୍ତବ ଉଦ୍ଦେଶ୍ୟ ସନ୍ଦେହ ଘେରକୁ ଆସିଥିବା ପାଙ୍ଗି ଅଭିଯୋଗ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details