କୋରାପୁଟ:ଆଦିବାସୀ ମେଧାବୀ ଛାତ୍ର ଘେନୁ ଖିଲଙ୍କୁ ଉନ୍ନତମାନର ଶିକ୍ଷା ପାଇଁ ସରକାରଙ୍କ ତରଫରୁ ପ୍ରତିଶୃତି ମିଳିଛି । ଯାହା ଫଳରେ ଅଷ୍ଟ୍ରେଲିଆର ସିଡନୀ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ଅସହାୟ ହୋଇପଡିଥିବା ଘେନୁଙ୍କ ମନରେ ଆଶା ସଞ୍ଚାର ହୋଇଛି । ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ସିମିଳିପଦରରୁ ବାହାରି ଜଣେ ଆଦିବାସୀ ଯୁବକ ଘେନୁ ଖିଲ ପବ୍ଲିକ ହେଲଥରେ Phd କରିବା ପାଇଁ ଅଷ୍ଟ୍ରେଲିଆର ସିଡନୀ ବିଶ୍ବବିଦ୍ୟାଳୟ ଦ୍ୱାରା ମନୋନୀତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଘେନୁ ଖିଲଙ୍କୁ ନ୍ୟାସନାଲ ଓଭରସିଜ ସ୍କଲାର୍ସିପ୍ ପାଇବା ପାଇଁ ଚୟନ କରାଯାଇଛି । ତେବେ ବର୍ତ୍ତମାନ ସେହି ସ୍କଲାର୍ସିପ୍ ପାଇବା ପର୍ଯ୍ୟନ୍ତ ସିଡନୀ ଯାଇ ସେଠାରେ ବିଶ୍ୱବିଦ୍ୟାଳୟରେ ପଞ୍ଜିକୃତ ହେବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଡ଼ ହୋଇପାରୁନଥିବା ଯୋଗୁଁ ଘେନୁ ଅସହାୟ ହୋଇପଡିଥିଲେ । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କଠାରୁ ସହାୟତା ନେଇ ପ୍ରତିଶୃତି ପରେ ପୁଣି ଥରେ ତାଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି ।
ତେବେ ବାପାଙ୍କ ଅକାଳ ବିୟୋଗ ପରେ ମାଆଙ୍କ ଅକ୍ଲାନ୍ତ ପରିଶ୍ରମ ସାହାଯ୍ୟରେ ଘେନୁ ମାଛକୁଣ୍ଡ ଆବାସିକ ବିଦ୍ୟାଳୟରୁ ପାଠ ପଢିବା ଆରମ୍ଭ କରିଥିଲେ । ଏହାପରେ ନବୋଦୟ ବିଦ୍ୟାଳୟରେ ପାଠ୍ୟକ୍ରମ ସହ ଜାତୀୟ ସ୍ତରର ଅନେକ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନରେ ପବ୍ଲିକ ହେଲଥ ବିଷୟରେ ଅଧ୍ୟୟନ କରିଥିଲେ । ଉନ୍ନତମାନର ପ୍ରଦର୍ଶନ କରି ସେ ବିଦେଶରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ପରବାରର ଆର୍ଥିକ ଦୁଃସ୍ଥିତି ତାଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ପ୍ରତିବନ୍ଧକ ସାଜିଥିଲା ।