କୋରାପୁଟ: ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ହୋଇଛି 'ଆଦିବାସୀ ଓ ଜଗନ୍ନାଥ' ଶୀର୍ଷକ ଆଲୋଚନା ଚକ୍ର । ଜଗନ୍ନାଥଙ୍କ ପ୍ରତି ଆଦିବାସୀଙ୍କର ନିଷ୍ଠା ଓ ଭକ୍ତି ସମ୍ପର୍କରେ ଆଲୋଚନା କରାଯାଇଛି । କୋରାପୁଟରେ ଜଗନ୍ନାଥ ମହାପ୍ରଭୁ ଆଦିବାସୀଙ୍କ ପ୍ରତ୍ୟକ୍ଷ ସେବା ପାଉଛନ୍ତି ବୋଲି ଏହି ଆଲୋଚନା ଚକ୍ରରେ ଯୋଗଦେଇ ମହନ୍ତ ବିଶ୍ବମ୍ବର ଦାସଜି ମହାରାଜ ମତ ରଖିଛନ୍ତି । ଅଞ୍ଚଳର ଆଦିବାସୀ ଓ ଶାବର ଶ୍ରୀକ୍ଷେତ୍ର ମଧ୍ୟରେ ଗତ ୫୦ ବର୍ଷ ରେ ସମ୍ପର୍କ ଦୃଢ଼ୀଭୂତ ହୋଇଛି । 1972 ମସିହାରେ କୋରାପୁଟ ସହରର କେନ୍ଦ୍ରସ୍ଥଳୀରେ ପ୍ରତିଷ୍ଠା କରାଯାଇଥିଲା ଜଗନ୍ନାଥ ମନ୍ଦିର । ସେହି ଦିନଠାରୁ ଏହାର ନାମ 'ଆଦିବାସୀଙ୍କ କ୍ଷେତ୍ର, ଶାବର ଶ୍ରୀକ୍ଷେତ୍ର' ଭାବେ ନାମକରଣ କରାଯାଇଛି ।
କୋରାପୁଟର ବଡ଼ଦାଣ୍ଡର ଗୋଟିଏ ଛୋଟ ରଥରୁ ଆରମ୍ଭ ହୋଇଥିଲା ରଥଯାତ୍ରା । ବର୍ତ୍ତମାନ ୩ଟି ବିଶାଳକାୟ ରଥ ଗଡୁଥିବାବେଳେ ରଥ ପ୍ରସ୍ତୁତିରେ ଆଦିବାସୀଙ୍କ ଶ୍ରମଦାନ ଅତୁଳନୀୟ । ରଥ ଗୁଡିକୁ ରଙ୍ଗ ଦେବା ଓ କନା ଗୁଡାଇବାଠାରୁ ଆରମ୍ଭ କରି ରଥ ଗୁଡିକୁ ସୁସଜ୍ଜିତ କରି ଯାତ୍ରା ପାଇଁ ପ୍ରସ୍ତୁତ କରିବାରେ ଆଦିବାସୀଙ୍କ ନିଃସର୍ତ୍ତ ସେବା ଉଲ୍ଲେଖଯୋଗ୍ୟ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଆଦିବାସୀ ଛେରା ପହଁରା କରିଥାନ୍ତି । ରଥ ଉପରେ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଆସିଥିବା ଆଦିବାସୀ ଗ୍ରାମ ନାୟକଙ୍କୁ ଶିରୋପା ମଣ୍ଡନ କରାଯାଇ ଜିଲ୍ଳାପାଳଙ୍କ ଦ୍ଵାରା ସମ୍ମାନିତ କରାଯାଏ । କେବଳ ଏତିକି ନୁହେଁ, ରଥ ଉପରେ ତିନି ଠାକୁରଙ୍କ ପାଖରେ ଲାଗି ହେଉଥିବା ଭୋଗକୁ ସମର୍ପଣ କରିବା କ୍ଷେତ୍ରରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀ ଭକ୍ତଙ୍କୁ ଅଗ୍ରାଧିକାର ଦିଆଯାଏ ।
ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି, "ସେମାନଙ୍କ ଦ୍ୱାରା ବଣ ଜଙ୍ଗଲରୁ ସଂଗ୍ରହ କରାଯାଇଥିବା ଫଳ, ମୂଳ, ପତ୍ର ଓ ପୁଷ୍ପକୁ ସର୍ବ ପ୍ରଥମେ ଭୋଗ ଭାବେ ଅର୍ପଣ କରିବା ପରେ ହିଁ ଅନ୍ୟ ଭକ୍ତଙ୍କ ଦ୍ୱାରା ଅଣାଯାଇଥିବା ଭୋଗ ଲାଗି କରାଯାଏ । ଭକ୍ତ ରଥକୁ ଟାଣି ନେଉଥିବା ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ଭକ୍ତଙ୍କ ଦ୍ୱାରା କୀର୍ତ୍ତନ ଓ ପାରମ୍ପରିକ ନୃତ୍ୟ ପରିବେଷଣ ଯାତ୍ରାକୁ ଅଧିକ ଆକର୍ଷଣୀୟ କରୁଛି । ଯାତ୍ରାରେ ଆଦିବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଶାବର ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପୂଜାର୍ଚ୍ଚନାଠାରୁ ଆରମ୍ଭ କରି ଦେବସ୍ନାନ ଭଳି ସ୍ୱତନ୍ତ୍ର ଉତ୍ସବ ପର୍ଯ୍ୟନ୍ତ ଆଦିବାସୀଙ୍କୁ ବିଶେଷ ସେବା କରିବାର ସୁଯୋଗ ମିଳିଛି ।"