କୋରାପୁଟ:ଘରୋଇ ଟିଭି ଚ୍ୟାନେଲ ନାଁରେ 11 କୋଟି ଟଙ୍କାର ମାନହାନି ମକଦ୍ଦମା । ମାନହାନି ମକଦ୍ଦମା କରିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା । ମିଥ୍ୟ ଖବର ପ୍ରସାରଣ ଅଭିଯୋଗରେ ଟିଭି ଚ୍ୟାନେଲ ନାମରେ ମକଦ୍ଦମା କରିଛନ୍ତି କୋରାେପୁଟ ପୂର୍ବତନ ଜିଲ୍ଲାପାଳ । ଏକ ଘରୋଇ ଟିଭି ଚ୍ୟାନେଲରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ବ୍ୟାଙ୍କ୍ ରୁ 11 କୋଟି ଋଣ ନେଇ ଠକି ଦେଇଥିବା ଖବର ପ୍ରସାରିତ ହୋଇଥିଲା । ଏହି ମାମଲାରେ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଫେରାର ଥିବାର ଖବର ମଧ୍ୟ ପ୍ରସାରଣ ହୋଇଥିଲା । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ଜିଲ୍ଲାପାଳ । ମିଥ୍ୟ ଖବର ପ୍ରସାରଣ ଅଭିଯୋଗରେ ଘରୋଇ ଟିଭି ଚ୍ୟାନେଲ ନାମରେ ମାନହାନୀ ମକଦ୍ଦମା କରିଛନ୍ତି ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ତରଫରୁ ଗଦାଧର ପରିଡ଼ା ପୁଅଙ୍କୁ ଏକ ବ୍ୟବସାୟ କରିବା ପାଇଁ ଋଣ ଦିଆଯାଇଥିଲା । ସେ ନେଇ ସେମାନଙ୍କ ମଧ୍ୟରେ ମାମଲା ଚାଲିଥିବା ବେଳେ ସେ କୌଣସି ଋଣ ନେଇ ନଥିବା ସ୍ପଷ୍ଟ କରିଛନ୍ତି । ତେଣୁ ଏ ସଂକ୍ରାନ୍ତରେ ପୋଲିସ ତାଙ୍କୁ ଖୋଜୁଥିବା ଓ ସେ ଫେରାର ହୋଇଯାଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଏପରି ଏକ ଭୁଲ ଖବର ପ୍ରସାରଣ କରି ତାଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି । ଏ ନେଇ ସମ୍ପୃକ୍ତ ଘରୋଇ ଟିଭି ଚ୍ୟାନେଲ ବିରୋଧରେ ତାଙ୍କ ପରିବାର ତରଫରୁ 11 କୋଟି ଟଙ୍କାର ମାନହାନି ମକଦ୍ଦମା କରାଯାଇଥିବା ସେ ଜଣାଇଛନ୍ତି ।