କୋରାପୁଟ:ଶାବର ଶ୍ରୀକ୍ଷେତ୍ରର ସମ୍ପାଦକ ପଦବୀରୁ ଇସ୍ତଫା ଦେଲେ ଗଦାଧର ପରିଡା । ଶାବର ଶ୍ରୀକ୍ଷେତ୍ର କୋରାପୁଟସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ସମ୍ପାଦକ ପଦରୁ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଇସ୍ତଫା ଦେଇଛନ୍ତି । ସେ ମନ୍ଦିରର ସମ୍ପାଦକ ଦାୟିତ୍ବ ନେବା ପରେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଭାବେ ମନ୍ଦିରର ବିଭିନ୍ନ ବ୍ୟବସ୍ଥାରେ ସୁଧାର ଆଣିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି ।
କୋରାପୁଟର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଗଦାଧର ପରିଡା ।ସମ୍ପାଦକ ଭାବେ ତାଙ୍କ କାର୍ଯ୍ୟକାଳରେ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ତିନୋଟି ରଥ ନିର୍ମାଣ ହେବା ତଥା ମନ୍ଦିର ପରିସର ମଧ୍ୟରେ ସବୁ ବର୍ଗର ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ ଓ ଦିବ୍ୟାଙ୍ଗଙ୍କ ପାଇଁ ମନ୍ଦିର ପର୍ଯ୍ୟନ୍ତ ହ୍ବିଲ ଚେୟାର ଯୋଗେ ଯାଇପାରିବାର ସୁବିଧା ଯୋଗାଇଛନ୍ତି । ବିଶେଷ କରି ମନ୍ଦିର ଆନୁକୂଲ୍ୟରେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସା , ନନ୍ଦପୁର ବ୍ଲକର ଚାଟୁଆ ଓ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଚିଡିପଲ୍ଲୀ ଭଳି ଓଡିଶା -ଆନ୍ଧ୍ର ସୀମାରେ ଥିବା ଗ୍ରାମରେ ପତିତପାବନ ମନ୍ଦିର ସ୍ଥାପନା କରାଯାଇପାରିଥିବା କହିଛନ୍ତି । ସେ ଜଗନ୍ନାଥ ମନ୍ଦିର ସମ୍ପାଦକ ପଦବୀରେ ଯୋଗଦେବା ପରଠାରୁ ମନ୍ଦିର ସାଧାରଣ ପରିଷଦ ବୈଠକ ଡାକିବାକୁ ଚେଷ୍ଟା କରିଥିଲେ ହେଁ ମନ୍ଦିରର କାର୍ଯ୍ୟକାରୀ ସଭାପତି ତଥା ତତ୍କାଳୀନ ଜିଲ୍ଲାପାଳ ମାନେ ଏଥିପ୍ରତି ଆଗ୍ରହ ପ୍ରଦର୍ଶନ କରିନଥିବା ଯୋଗୁଁ ବୈଠକ ଅନୁଷ୍ଠିତ ହୋଇପାରିନଥିଲା । ତେବେ ଏହି ପ୍ରକ୍ରିୟା ଚାଲିଥିବା ବେଳେ କିଛି ବନ୍ଧୁଙ୍କ ମଧ୍ୟରେ ବିରୋଧାଭାଷର ସାମନା କରିବାକୁ ପଡ଼ିଥିଲେ । ମନ୍ଦିରର ବାଇ ଲ ଅନୁଯାୟୀ ଯାହା ହେବା କଥା ତାହାକୁ କାର୍ଯ୍ୟକାରୀ କରୁଥିବା କହିଛନ୍ତି । କିନ୍ତୁ ଗତକିଛିଦିନ ପୂର୍ବେ ଏଣ୍ଡୋମେଣ୍ଟ ଦ୍ବାରା ନୂତନ ପରିଚାଳନା ପ୍ରକ୍ରିୟା ଆରମ୍ଭ କରିବାର ସୂଚନା ଦିଆଯିବା ପରେ ସମସ୍ତଙ୍କ ମନରେ ବିଭିନ୍ନ ଚିନ୍ତା ପ୍ରକଟ ହୋଇଛି ।
ଗତ ରବିବାର ଦିନ ଆଦିବାସୀ ସଂଗ୍ରହାଳୟରେ ମନ୍ଦିରର ପରିଚାଳନା କମିଟିର ବୈଠକ ଚାଲିଥିବା ବେଳେ ସରକାରୀ ଦଳର ଚାରିଜଣ ଓ କଂଗ୍ରେସର ଜଣେ ବରିଷ୍ଠ ନେତା ହଠାତ ପଶିଆସି ପରିଡାଙ୍କୁ ଇସ୍ତଫା ଦେବାପାଇଁ ଚାପ ପ୍ରୟୋଗ କରିଥିଲେ । ସେହି ମୁହୂର୍ତ୍ତରେ ସେମାନଙ୍କ ଉପସ୍ଥିତିରେ ଇସ୍ତଫା ଦେଇନଥିବା ବେଳେ ମନ୍ଦିର ମଧ୍ୟରେ ରାଜନୈତିକ ନେତୃବୃନ୍ଦର ରାଜନୀତିକୁ ନାପସନ୍ଦ କରି ପରିଡା ସୋମବାର ରାତିରେ ସମ୍ପାଦକ ପଦବୀରୁ ଇସ୍ତଫା ଦେବା ସହ ସମ୍ପାଦକ ଜଗବନ୍ଧୁ ସାମଲଙ୍କୁ ପଦ ହସ୍ତାନ୍ତର କରିଥିଲେ । ତାଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତାର ଅଭିଯୋଗ କରି କିଛି ବ୍ୟକ୍ତି ଅପପ୍ରଚାର ଚଳାଇଥିବା ବେଳେ ପଦ ହସ୍ତାନ୍ତର କରିବା ସମୟରେ ମନ୍ଦିରର ଆକାଉଣ୍ଟରେ 97 ଲକ୍ଷ ଟଙ୍କା ଜମା ରାଶି ରଖିପାରିଥିବା ସୂଚନା ଦେଇଛନ୍ତି । ଗତ ଦେଢ଼ ବର୍ଷ ଧରି କୋଭିଡ କଟକଣା ଲାଗିଥିଲେ ବି ଏତିକି ପରିମାଣର ପାଣ୍ଠି ଜମା କରିପାରିଥିବା ତାଙ୍କ ବିରୁଦ୍ଧରେ ହେଉଥିବା ଅପପ୍ରଚାର ଅମୂଳକ ବୋଲି ପ୍ରମାଣ ଦେଉଥିବା ଗଦାଧର ପରିଡା ମତ ରଖିଛନ୍ତି ।