କୋରାପୁଟ: ବଂଶୀ ବୁଝେ ବେଦନା । ସରୁ ବାଉଁଶ ଖଣ୍ଡିଏ ହେଲେ ସେଥିରୁ ଭାସି ଆସୁଥିବା ସ୍ବରରେ ଭାଙ୍ଗିଯାଏ ଅନେକଙ୍କ ମନର ନୀରବତା । ସଙ୍ଗୀତକୁ ନୂଆ ରୂପ ଦିଏ ବଂଶୀର ମିଠା ସ୍ବର । ସେଇଥିପାଇଁ ତ ଅନେକ ବଂଶୀ ବିଦ୍ୟାରେ ସାଧନା କରିଛନ୍ତି । ସେମିତି ଜଣେ ବଂଶୀ ବାଦକ ହେଉଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦେବିଘାଟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ସୁନାମଧନ୍ୟ ବଂଶୀ ବାଦକ ତଥା ପ୍ରଶିକ୍ଷକ ରବୀନ ଚନ୍ଦ୍ର ମହାନନ୍ଦିଆ । ବଂଶୀର ସ୍ବରରେ କୁନିକୁନି ପିଲାଙ୍କୁ ମତୁଆଲା କରିଛନ୍ତି ସେ । ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ସେ ବେଶ ପ୍ରଶଂସନୀୟ ହୋଇଛନ୍ତି ।
ଦେବିଘାଟ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି ରବୀନ । ବଂଶୀ ବିଦ୍ୟାରେ ତାଙ୍କର ପ୍ରଗାଢ ଜ୍ଞାନ । ଭଳିକି ଭଳି ଗୀତରେ ଖୁବ ସୁନ୍ଦର ବଂଶୀ ବଜାଇ ପାରନ୍ତି ସେ । ବଂଶୀ ବଜାଇବାରେ ସେ ମାହିର । ତାଙ୍କ ଏହି କଳାକୁ ସେ ଅନେକଙ୍କ ମଧ୍ୟରେ ବାଣ୍ଟିଛନ୍ତି । ଆଗାମୀ ଭବିଷ୍ୟତ କିପରି ବଂଶୀ ବିଦ୍ୟାରେ ନିଜର ଭବିଷ୍ୟତ ଗଢିବା ସେଥିପାଇଁ ତାଙ୍କୁ ତିଆରି କରୁଛନ୍ତି । ମହାମାରୀରେ ଦୀର୍ଘ ଦିନ ହେବ ପାଠପଢାରୁ ଦୂରରେ ଥିବା କୁନି କୁନି ପିଲା ଏବେ ସ୍କୁଲ ହତା ମାଡିଛନ୍ତି । ବିଦ୍ୟାଳୟ ଓ ପାଠପଢା ପ୍ରତି ସେମାନେ କିପରି ଆକୃଷ୍ଟ ହେବେ ସେ ନେଇ ତାଙ୍କୁ ବଂଶୀ ସ୍ବର ଯାଦୁବିଦ୍ୟା ବତାଇଛନ୍ତି । ବଂଶୀ ସ୍ବରରେ ବିଭୋର ହୋଇଛନ୍ତି ବିଦ୍ୟାର୍ଥୀ । ବହି ଖାତା ପରି ବଂଶୀକୁ ସାଥୀ କରିଛନ୍ତି ଛାତ୍ରଛାତ୍ର । ହାତରେ ବଂଶୀ ଖଣ୍ଡେ ଧରିବା କ୍ଷଣି ଅଲଗା ଦୁନିଆରେ ହଜିଯାଉଛନ୍ତି ସେମାନେ ।