କୋରାପୁଟ: ଜିଲ୍ଲାର କୁନ୍ଦୁଲି, ଦକ୍ଷିଣ ଓଡ଼ିଶାର ସର୍ବବୃହତ ପରିବା ହାଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ହେଁ ଅନେକ ସମୟରେ ପନିପରିବାର ଉଚିତ ମୂଲ୍ୟ ମିଳୁ ନଥିବା ଅଭିଯୋଗ ହୋଇ ଆସୁଛି । ଏହି ହାଟ ଚତୁଃପାର୍ଶ୍ଵରେ ଥିବା ଗାଁ ଗଣ୍ଡାରେ ଵିନ୍ସ , ଗାଜର , ଫୁଲକୋବି ଓ ବିଶେଷ କରି ଅଦା ବହୁଳ ଭାବେ ଉତ୍ପାଦିତ ହୁଏ । କିନ୍ତୁ ଶୀତଳଭଣ୍ଡାର ଅଭାବ ଯୋଗୁଁ ଚାଷୀ ନିଜ ଉତ୍ପାଦକୁ କମ ଦାମରେ ମଧ୍ୟ ବିକ୍ରି କରିବା ପାଇଁ ବାଧ୍ୟ ହୋଇଥାନ୍ତି ।
ତେବେ କୋରାପୁଟ ଜିଲ୍ଲା ପ୍ରଶାସନ, ଓରମାସ ଓ ଓଡିଶା ଜୀବିକା ମିଶନର ମିଳିତ ଆନୁକୂଲ୍ୟରେ ଗେଲାଗୁଡା ଗ୍ରାମରେ ଗଢି ଉଠିଥିବା ମହିଳା ଉତ୍ପାଦକ ଦଳର ସଦସ୍ୟଙ୍କୁ ବିଭିନ୍ନ ପନିପରିବା ଓ ବିଶେଷ କରି ଅଦାରୁ ଉନ୍ନତ ମାନର ଆଚାର ପ୍ରସ୍ତୁତ କରିବାର ତାଲିମ ପ୍ରଦାନ କରାଯାଇଛି ।