ଦେଓମାଳି: ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳିର ମାଟିକୁ ସ୍ପର୍ଶ କଲେ ପ୍ରକୃତିକୁ ଭଲ ପାଉଥିବା ପର୍ଯ୍ୟଟକର ହୃଦୟ ମଧ୍ୟରେ ଆନନ୍ଦର ଲହଡି ଖେଳିଯାଏ । ସମୁଦ୍ର ପତନଠାରୁ 1,672 ମିଟର ଉଚ୍ଚତାରେ ଥିବା ଏହି ପାର୍ବତ୍ୟାମାଳା ତାର ଏକ ଭିନ୍ନ ସୌନ୍ଦର୍ଯ୍ୟ ଓ ବୈଶିଷ୍ଟ୍ୟତା ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି । କୁନ୍ଦୁଲି ନିକଟର ଅପେକ୍ଷାକୃତ ସମତଳ ଅଞ୍ଚଳକୁ ଛାଡି ପର୍ଯ୍ୟଟକ ଯେତେବେଳେ ଦେଓମାଳି ମୁହାଁ ହୁଅନ୍ତି ସେତିକି ବେଳ ଠାରୁ ହିଁ ଆନନ୍ଦ ଭରା ଶୀତୁଆ ପବନ ମନକୁ ଛୁଇଁଯାଏ । ଦେଓମାଳି ପର୍ଯ୍ୟଟନର ବିକାଶ ନିମନ୍ତେ ରାଜ୍ୟ ସରକାର ଅନେକ ବ୍ୟବସ୍ଥା ହାତକୁ ନେଇଛନ୍ତି । କିନ୍ତୁ ଏହାଦ୍ବାରା ପ୍ରାକୃତିକ ସୌନ୍ଦର୍ଯ୍ୟ କ୍ଷୁର୍ଣ୍ଣ ହେବା ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି ।
କୁନ୍ଦୁଲିରୁ କୋଟିଆ ଆଡକୁ ଯାଉଥିବା ସୁଦୃଶ୍ୟ ସଡ଼କରୁ ଦେଓମାଳି ପର୍ବତ ଆଡକୁ ମୁହାଁଇବା ପରେ ପର୍ଯ୍ୟଟକଙ୍କୁ ଶୋଚନୀୟ ଭାବେ ରୁଗ୍ଣ ହୋଇପଡିଥିବା ତୀକ୍ଷ୍ଣ ରାସ୍ତା ଆଗକୁ ଯିବା ପାଇଁ ନିରୁତ୍ସାହିତ କରୁଥିବା ବିଶିଷ୍ଟ ପରିବେଶବିତମାନେ ଅଭିଯୋଗ କରିଛନ୍ତି । ଏହି ଅଙ୍କାବଙ୍କା ରାସ୍ତା ଦେଇ ଦେଓମାଳି ପର୍ବତ ଉପରେ ପହଞ୍ଚିବା ପରେ ଏକ ବିଶାଳ ସମତଳ ପଡିଆ, ମନଲୋଭା ଶୀତଳ ପବନ ତଥା ଅବାଧରେ ଘୁରି ବୁଲିବାର ସ୍ବାଧୀନତା ତାକୁ ବିମୋହିତ କରିଥାଏ । କିନ୍ତୁ ପର୍ଯ୍ୟଟନର ବିକାଶ କରିବା ଆଳରେ ରାଜ୍ୟ ସରକାର ଏହି ପର୍ବତର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଧ୍ବଂସ କରି ପର୍ଯ୍ୟଟକଙ୍କ ରହିବା ପାଇଁ ହୋଟେଲ ନିର୍ମାଣ କରିବା ସହ ପ୍ରାକୃତିକ ପରିବେଶ ମଧ୍ୟରେ କୃତ୍ରିମତାର ଅପମିଶ୍ରଣ କରିବାକୁ ଆରମ୍ଭ କରିଥିବା ଜୈବ ବିବିଧତାର ଗବେଷକ ମିହିର ଜେନା ଆଶଙ୍କା ପ୍ରକାଶ କରିଛନ୍ତି ।