କୋରାପୁଟ: ଚେକ ଏବଂ ଫ୍ରେଞ୍ଚ ଭାଷାର ପ୍ରସିଦ୍ଧ ଔପନାସିକ ମିଲନ କୁନ୍ଦେରାଙ୍କ 94 ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏହି ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗରେ ବିଶ୍ଵର ସମସ୍ତ ସାହିତ୍ୟ ଜଗତ ମର୍ମାହତ ହୋଇଛି । ସାହିତ୍ୟ ପ୍ରତି ରହିଥିବା ତାଙ୍କ ଅବଦାନକୁ ମନେ ପକାଇଛି ପୁରା ବିଶ୍ବ । ଅନେକ ଲେଖକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଅଟନ୍ତି । ଓଡ଼ିଶାର ବିଶିଷ୍ଟ ଗାଳ୍ପିକ ନାରାୟଣ ପଣ୍ଡା ମିଲନ କୁନ୍ଦେରାଙ୍କ ବିୟୋଗରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ମିଲନ କୁନ୍ଦେରାଙ୍କୁ ନିଜ ଗୁରୁ ଭାବେ ମାନୁଥିଲେ ନାରାୟଣ ପଣ୍ଡା । ତାଙ୍କ ଦ୍ବାରା ରଚିତ ଅନେକ ପୁସ୍ତକକୁ ସେ ଏକାଠି ନିଜ ଘରେ ଏକ ପାଠାଗାର ତିଆରି କରିଥିଲେ । ଯେଉଁଥିରେ କେବଳ ମିଲନ କୁନ୍ଦେରାଙ୍କ ରଚିତ ପୁସ୍ତକ ଗୁଡ଼ିକ ରହିଛି । ନିଜ କଲେଜ ଛାତ୍ର ଜୀବନରୁ କାଫକା ଓ କାମୁଙ୍କ ସାହିତ୍ୟକୁ ଭଲ ପାଇ ବସିଥିବା ନାରାୟଣ ପଣ୍ଡା ଏହି ଲେଖକଙ୍କ ରଚନା ବେଶ ପ୍ରଭାବିତ କରିଥିଲା । ମିଲନଙ୍କ ପୁସ୍ତକକୁ ବିଶ୍ଲଷଣ କରି ସେ ନିଜ ରଚନା ଓ ସାହିତ୍ୟକୁ ଆଗେଇ ନେବାରେ ସଫଳ ହୋଇଥିଲେ । ଏନେଇ ସେ କହିଛନ୍ତି, "ଯେବେଠୁ ମିଲନ କୁନ୍ଦେରାଙ୍କ ରଚିତ ପୁସ୍ତକ ପଢ଼ିବାକୁ ଲାଗିଲି । ସାହିତ୍ୟ ପ୍ରତି ଥିବା ତାଙ୍କର ସାଧନାକୁ ବୁଝି ପାରିଥିଲି । ବଜାରରେ ଯେଉଁଠି ମିଲନ କୁନ୍ଦେରାଙ୍କ ରଚିତ ପୁସ୍ତକ ଦେଖିବାକୁ ପାଏ, ତାକୁ କିଣି ନେଇ ନିଜ ଘରୋଇ ପାଠାଗାରରେ ଯୋଡିବାରେ ସାମିଲ କରିଥାଏ । ମିଲନ କୁନ୍ଦେରାଙ୍କ ଦ୍ବାରା ରଚିତ ଦ ଆର୍ଟ ଅଫ ନୋଭେଲ, ଟେଷ୍ଟାମେଣ୍ଟ ବିଟ୍ରେ, ଦ କର୍ଟନ ଏବଂ ଏନକାଉଣ୍ଟର ଏସେସ ଭଳି କାଳଜୟୀ ପ୍ରବନ୍ଧ ଓ ଉପନ୍ୟାସ ପଢିବା ପରେ ତାଙ୍କୁ କାହିଁକି ରି ରିଡେବଲ ରାଇଟର ବୋଲି କୁହା ଯାଉଥିଲା ତାହା ଜାଣିପାରିଥିଲି ।"