କୋରାପୁଟ : ଜିଲ୍ଲା ଯୋଜନା କମିଟିର ୧୮ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୧୬୦୪ କୋଟି ଟଙ୍କାର ବଜେଟ ଅନୁମୋଦନ ଲାଭ କରିଛି ।
ନୂତନ ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିବା ରଘୁରାମ ପଡାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ଯୋଜନା ବୋର୍ଡ ବୈଠକ । ପ୍ରଥମ ବୈଠକରେ ଜିଲ୍ଲାର ସାମଗ୍ରୀକ ବିକାଶ ଯୋଜନା ସହିତ ବିଜୁ କେବିକେ ଯୋଜନାରେ ନିର୍ମିତ ହେବାକୁ ଥିବା ସଡକ , ବିଜୁଳି ଓ ଜଳଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ୨୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଆଧାରରେ ପ୍ରସ୍ତୁତ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି ।
ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଡାଲ ସମସ୍ତ ସରକାରୀ ଅଧିକାରୀ ଏଵଂ ଜନପ୍ରତିନିଧିଙ୍କୁ ସମ୍ମିଳିତ ଭାବେ କାର୍ଯ୍ୟ କରି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲାର ଗମନାଗମନ, ସ୍ବାସ୍ଥ୍ୟ ଓ ଚାଷୀ ସମସ୍ୟାର ସମାଧାନ ଦିଗରେ ଗୃହର ଧ୍ୟାନ ଆକର୍ଷଣ କରିଥିଲେ ।
ଏହି ବୈଠକରେ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଓ ନବରଙ୍ଗପୁର ସାଂସଦଙ୍କ ସମେତ ଜୟପୁର, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାୟକ ମାନେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ ।
କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ