କୋରାପୁଟ :ଜିଲ୍ଲା କଂଗ୍ରେସରେ ତେଜିଲା ଦଳୀୟ କନ୍ଦଳ । କଂଗ୍ରେସ ଦଳ ଛାଡିବାକୁ ଧମକ ଦେଲେ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କୁ ସାଂସଦ ସପ୍ତଗିରି ଉଲାକାଙ୍କ ସାଥିରେ ମଞ୍ଚରେ ବସାଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହା ଦ୍ୱାରା ଦଳରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ମିନାକ୍ଷୀ ବାହିନୀପତି ଏବଂ ଦଳରୁ ଇସ୍ତଫା ଦେବାର ଧମକ ଦେଇଛନ୍ତି ।
କୋରାପୁଟ ସାଂସଦ ସପ୍ତଗିରି ଉଲାକା ସଂସଦରେ ନିଜ ରିପୋର୍ଟ କାର୍ଡର ବିବରଣୀ ଦେଇଛନ୍ତି । ଏହା ସହ ଆସନ୍ତା 20 ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ କୋରାପୁଟ ଗସ୍ତ କରୁଛନ୍ତି । କୌଣସି କାର୍ଯ୍ୟକ୍ରମରେ କୋରପୁଟ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ସାଂସଦଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏ ପର୍ଯ୍ୟନ୍ତ ସଂସଦରେ ଉପସ୍ଥାପନ କରି ଥିବା ଦାବି ଗୁଡିକ ଉପରେ ଆସନ୍ତା ତିନି ମାସ ମଧ୍ୟରେ ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ ସେ ମୁଣ୍ଡରେ କଳାପଟି ପିନ୍ଧି ସଂସଦକୁ ଯିବେ ବୋଲି ଜଣାଇଥିଲେ । ତେବେ ସାମ୍ବାଦିକ ସମ୍ମିଳନୀ ସରିବା ପରେ ପରେ ମିନାକ୍ଷୀ ବାହିନୀପତିଙ୍କ ବିସ୍ଫୋରକ ବୟାନ ଏହି ବୈଠକର ମୋଡ଼କୁ ଅନ୍ୟ ଏକ ଦିଗ ଦେଇଥିଲା । ଉଲାକା ମିନାକ୍ଷୀ ବାହିନୀପତିଙ୍କ ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।