ଓଡିଶା

odisha

ETV Bharat / state

ପ୍ରଚଳିତ ପରମ୍ପରା ଭାଙ୍ଗିବାରୁ ଦଳରୁ ନିଲମ୍ବିତ ହେଲେ ଜିଲ୍ଲା ପରିଷଦ ସଦସ୍ୟା - କୋରାପୁଟର ଜିଲ୍ଲା ପରିଷଦ ସଦସ୍ୟା

ନାର୍ସଲ କାମିଡି ହେଲେ କୋରାପୁଟ ଜିଲ୍ଲାର ନବନିର୍ବାଚିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ। ଅନ୍ୟପଟେ ବିଜେଡି ଦଳର ହାଇକମାଣ୍ଡଙ୍କୁ ଝଟକା ଦେଇ କୋରାପୁଟ ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ରାର୍ଥୀପତ୍ର ଦାଖଲ ଓ ଦଳରୁ ନିଲମ୍ବନ।

ଫଟୋ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

By

Published : Aug 22, 2019, 6:53 AM IST

କୋରାପୁଟ: ଭାଙ୍ଗିଲା ଚଳିଆସୁଥିବା ପରମ୍ପରା। ହାଇକମାଣ୍ଡକୁ ଝଟକା ଦେଲେ ଜଣେ ପଛୁଆ ବର୍ଗର ସଦସ୍ୟା। ଯାହା ସମଗ୍ର କୋରାପୁଟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ବୁଧବାର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହେଲେ ବିଜେଡ଼ି ଦଳର ହାଇକମାଣ୍ଡଙ୍କୁ ଝଟକା ଦେଇ କୋରାପୁଟର ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତିଙ୍କ ପ୍ରାର୍ଥୀପତ୍ର ଦାଖଲ ଓ ଦଳରୁ ନିଲମ୍ବିତ ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଖବର ଅନୁଯାୟୀ, ଜିଲ୍ଲା ପରିଷଦ ନିର୍ବାଚନ ସମୟରେ ଦଳୀୟ ହାଇକମାଣ୍ଡଙ୍କ ନିକଟରୁ ସ୍ବତନ୍ତ୍ର ନିର୍ଦ୍ଦେଶ ବନ୍ଦ ଲଫାଫାରେ ଆସେ । ସେଥିରେ ଲେଖାଯାଇଥିବା ପୂର୍ବ ନିର୍ଦ୍ଧାରିତ ନାମକୁ ସମସ୍ତେ ବେଦର ଗାର ଭଳି ମାନି ନିଅନ୍ତି ।ଚଳିତ ଥର ମଧ୍ୟ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମଧ୍ୟ ଅନୁରୂପ ଭାବେ ଲଫାଫା ଖୋଲାଯାଇ ନାର୍ସୁଲ କାମିଡ଼ିଙ୍କ ନାଁ କୁ ସମର୍ଥନ କରିବା ପାଇଁ ଥିବା ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଜିଲ୍ଲା ସଭାପତି ପଢି ଶୁଣାଇଥିଲେ। କିନ୍ତୁ ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ବିନା ପ୍ରଶ୍ନରେ ଗ୍ରହଣ କରିନେବା ପୂର୍ବରୁ ଜିଲ୍ଲା ପରିଷଦର ଜଣେ ପଛୁଆ ବର୍ଗର ସଦସ୍ୟା ପାର୍ବତୀ ମସ୍ତି ମଧ୍ୟ ଦ୍ଵିତୀୟ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

କୋରାପୁଟ ଜିଲ୍ଲା ପରିଷଦରେ ସମୁଦାୟ ୨୯ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ପୂର୍ବତନ ସଭାପତି ପ୍ରଭୁ ଯାନୀ ଲକ୍ଷ୍ମୀପୁରର ବିଧାୟକ ହେବା ପରେ ସଦସ୍ୟଙ୍କ ସଂଖ୍ୟା ୨୭ କୁ ଖସି ଆସିଛି । ବୁଧବାର ସେହି ୨୭ ଜଣଙ୍କ ମଧ୍ୟରୁ ତିନି ଜଣ ବିଜେଡି ସଦସ୍ୟ ଅନୁପସ୍ଥିତ ରହିଥିବା ଯୋଗୁଁ ୨୪ ଜଣ ସଦସ୍ୟଙ୍କୁ ନେଇ ଉପସଭାପତି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ତେବେ ବିଜେଡି ଦଳର ପୂର୍ବ ନିର୍ଦ୍ଧାରିତ ପ୍ରାର୍ଥୀ ଶ୍ରୀ କାମିଡ଼ି ତାଙ୍କ ସପକ୍ଷରେ ୧୬ ଟି ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ ପାର୍ବତୀଙ୍କୁ ୮ ଟି ଭୋଟ ମିଳିବା ଯୋଗୁଁ ସେ ଦ୍ଵିତୀୟ ସ୍ଥାନରେ ରହିଥିଲେ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଧେଶକୁ ଅବମାନନା କରି ନିଜେ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଯୋଗୁଁ ପାର୍ବତୀ ମସ୍ତିଙ୍କୁ ଦଳରୁ ତତକ୍ଷଣାତ ନିଲମ୍ବନ କରାଯାଇଛି। ଏନେଇ ବିଜେଡି ଦଳର ଜିଲ୍ଲା ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସଦଭାବନା ସଭାଗୃହ ନିକଟରେ ଘୋଷଣା କରିଛନ୍ତି ।

ଶ୍ରୀ କାମିଡ଼ି ନିଜ ବିଜୟକୁ ନେଇ ଉଲ୍ଲସିତ ହୋଇଉଠିଥିବା ବେଳେ , ଶ୍ରୀମତୀ ମସ୍ତି ତାଙ୍କ ପ୍ରତି ଦଳୀୟ ନେତା କରିଥିବା ଅନ୍ୟାୟକୁ ପ୍ରତିବାଦ କରି ସ୍ବାଭିମାନକୁ ବଜାୟ ରଖିବାରେ ସମର୍ଥ ହୋଇଥିବା ଯୋଗୁଁ ଗର୍ବିତ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ବିଜେଡି ଦଳରେ ଉଠିଥିବା ଏହି ବିରୋଧାଭାସ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ମଧ୍ୟରେ ଥିବା ସମ୍ଭାବ୍ୟ ଅସନ୍ତୋଷକୁ ଖୋରାକ ଯୋଗାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।

କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details