କୋରାପୁଟ: କୋରାପୁଟ ଆନ୍ଧ୍ର ସୀମା ବିବାଦରେ ବଢୁଛି ଅସନ୍ତୋଷ । ରାଜ୍ୟର ମୁଖ୍ୟମନ୍ତ୍ରୀ ଗତ ସାତ ମାସ ଧରି ଘରୁ ବାହାରି ନାହାନ୍ତି । ଜିଲ୍ଲା ପ୍ରଶାସନ ବି ଶୋଇ ରହିଛି । ଏହାର ସୁଯୋଗ ନେଇ କୋରାପୁଟ ଜିଲ୍ଲାର ସୀମାନ୍ତରେ ପଡୋଶୀ ଆନ୍ଧ୍ରପ୍ରଦେଶର ଦୌରାତ୍ମ୍ୟ ବୃଦ୍ଧି ପାଇଛି ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲକା କ୍ଷୋଭ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର ସୀମାରେ ଅନୁପ୍ରବେଶ ଜାରି ରହିଛି । ପ୍ରଥମେ ନନ୍ଦପୁର ବ୍ଲକର ସୀମା ନିକଟରେ ଥିବା ବୋରା ମୁଠାକୁ ଅକ୍ତିଆର କରି ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ବ୍ୟବହାର କରି ଆନ୍ଧ୍ରପ୍ରଦେଶ ଲାଭବାନ ହେବା ପରେ ଆନ୍ଧ୍ର ସରକାରଙ୍କ ତରଫରୁ କୋଟିଆ ଗ୍ରାମପୁଞ୍ଜ, ନାରାୟଣପାଟଣା ବ୍ଲକର ଲଙ୍ଗଳବେଡା ପଞ୍ଚାୟତକୁ ଲାଗିଥିବା ସୀମା ଓ ପଟଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡା ଗ୍ରାମରେ ଓଡିଶା ସୀମାକୁ ଆସି ଜମି ଅକ୍ତିଆର କରିବା, ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିବା ଓ ଲୋଭନୀୟ ପ୍ୟାକେଜ ଦେଇ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।