ଓଡିଶା

odisha

ETV Bharat / state

ଦାରିଦ୍ର୍ୟତା ଦୂର କରିବାର ଏକମାତ୍ର ଚାବିକାଠି ଶିକ୍ଷା - କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନଜାତିଙ୍କ ଶିକ୍ଷାର ବିକାଶ ସହିତ ଜିଲ୍ଲାରେ ଉତ୍ପାଦନ ହେଉଥିବା ସ୍ବତନ୍ତ୍ର ଖାଦ୍ୟ ପଦାର୍ଥକୁ ବିଶ୍ବ ବଜାରରେ ପହଞ୍ଚାଇବାକୁ କଲେ ଆହ୍ବାନ । ଅଧିକ ପଢ଼ନ୍ତୁ

ଦାରିଦ୍ର୍ୟତା ଦୂର କରିବାର ଏକମାତ୍ର ଚାବିକାଠି ଶିକ୍ଷା କହିଲେ ଧର୍ମେନ୍ଦ୍ର ପ୍ରଧାନ
ଦାରିଦ୍ର୍ୟତା ଦୂର କରିବାର ଏକମାତ୍ର ଚାବିକାଠି ଶିକ୍ଷା କହିଲେ ଧର୍ମେନ୍ଦ୍ର ପ୍ରଧାନ

By

Published : Aug 29, 2022, 9:09 PM IST

କୋରାପୁଟ: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦାରିଦ୍ର୍ୟତାକୁ ଦୂର କରିବାର ଏକମାତ୍ର ଚାବିକାଠି ଶିକ୍ଷା ବୋଲି ସେ ନିଜ ଉଦବୋଧନରେ କହିଛନ୍ତି । କେବଳ ବକ୍ସସାଇଟର ରପ୍ତାନୀ ନକରି ଜିଲ୍ଲାରେ ଉଚ୍ଚମାନର ଆଲୁମିନିୟମ ବିନିର୍ମାଣ କେନ୍ଦ୍ର ସ୍ଥାପନା କରିବାକୁ ହେବ ବୋଲି ଏହି ଅବସରରେ ସେ ମତ ରଖିଛନ୍ତି ।

ଦାରିଦ୍ର୍ୟତା ଦୂର କରିବାର ଏକମାତ୍ର ଚାବିକାଠି ଶିକ୍ଷା କହିଲେ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ବତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା । କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଧାନ, ଆମ୍ବ, ମାଣ୍ଡିଆ, ପନିପାରିବା ତଥା ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବିଶ୍ବ ବଜାରରେ ପହଞ୍ଚାଇବାକୁ ହେବ । ତେବେ ଏଥିପାଇଁ ଜନଜାତିଙ୍କୁ ତାଙ୍କ ଭାଷାରେ ଶିକ୍ଷା ଦିଆଯିବା ଆବଶ୍ୟକ । ଏହା ହେଲେ ସେମାନଙ୍କ ପ୍ରାଥମିକ ଶିକ୍ଷାରେ ମଧ୍ୟ ବିକାଶ ହୋଇପାରିବ ବୋଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାବି ପଢ଼ନ୍ତୁ...SCBରେ କିଡ଼ନୀ ରୋଗୀଙ୍କୁ ଶସ୍ତା ଔଷଧ, ୮୦ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟରେ ଜୈବିକ ପ୍ରଣାଳୀରେ ଉତ୍ପାଦନ ହେଉଥିବା ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରକୁ ନେବା ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ସାହାଯ୍ୟ ନେଉ ବୋଲି କହିଛନ୍ତି ମନ୍ତ୍ରୀ । ଗବେଷଣା ଦ୍ବାରା ଜିଲ୍ଲାର ସ୍ବତନ୍ତ୍ର ଖାଦ୍ୟକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇହେବ ବୋଲି ସେ ମତ ରଖିଛନ୍ତି । କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ହେଉଥିବା ଧାନ, ଆମ୍ବ, ମାଣ୍ଡିଆ, ପନିପାରିବା ଓ କୋରାପୁଟ କଫି ସ୍ବତନ୍ତ୍ର । ପ୍ରଧାନମନ୍ତ୍ରୀ ମାସିକ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ରେ ମିଲେଟ୍ ବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ଉପରେ କହିଛନ୍ତି । ତେଣୁ ଏ ଦିଗରେ ଆମକୁ ପ୍ରାଥମିକତା ଦେବାକୁ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶିକ୍ଷାର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର କଳ୍ପନା କରିଛନ୍ତି । ଏହି ଶିକ୍ଷା ନୀତି ମାଧ୍ୟମରେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ମିଶି ସଂକଳ୍ପ ନେବା ଦରକାର ବୋଲି ସେ କହିଛନ୍ତି । ଜନଜାତିଙ୍କ ସଶକ୍ତୀକରଣ ସେମାନଙ୍କ ଭାଷାରେ ହିଁ ଅନ୍ତର୍ନିହିତ । ନୂଆ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଜନଜାତିଙ୍କୁ ସେମାନଙ୍କ ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନ କରାଗଲେ ଜନଜାତିଙ୍କ ପ୍ରାଥମିକ ଶିକ୍ଷାର ବିକାଶରେ ଅଭିବୃଦ୍ଧି ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ମତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details