କୋରାପୁଟ: ସରକାର ପିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାରେ ୧୩ଜଣ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେଇଥିଲେ । ଗତ କିଛିଦିନ ପୂର୍ବେ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଗାଣରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଗତକାଲି ପିଏମ୍ ପୋଷଣ ଯୋଜନାରେ ସଂପୃକ୍ତ ଥିବା ଗଣଶିକ୍ଷା ବିଭାଗର ସିଆରସିସିଙ୍କୁ ପରିବର୍ତ୍ତନ କରାଯାଇଥିଲା । ଏହାସହ ଜିଲ୍ଲାର ସମସ୍ତ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣକୁ ଠିକ୍ ଭାବେ ନିରୀକ୍ଷଣ କରିନଥିବା ଅଭିଯୋଗରେ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ପିଏମ୍ ପୋଷଣ ଯୋଜନାର ରାଜ୍ୟ ନୋଡାଲ ଅଫିସର ସମ୍ବିତ କୁମାର ନାୟକ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ପ୍ରେରଣ କରିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି ।
ତେବେ ଡାଟା ଏଣ୍ଟ୍ରି ଅପରେଟର ପିଏମ୍ ପୋଷଣ ଯୋଜନାର ପାଉଥିବା ତଥ୍ୟକୁ ଉପରିସ୍ଥ ଅଫିସରଙ୍କ ପାଖକୁ ପଠାଇବାର ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ମଧ୍ୟାହ୍ନ ଭୋଜନ ଯୋଗାଣକୁ ଠିକ୍ ଭାବେ ନିରୀକ୍ଷଣ କରିନଥିବା ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର ବୋଲି ଡାଟା ଏଣ୍ଟ୍ରି ଅପରେଟର ମାନେ ଶନିବାର କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ସଫେଇ ଦେଇଥିଲେ ।