କୋରାପୁଟ:ସମାଜରେ ସାଇବର ଠକେଇ ମାମଲା ବଢିବାରେ ଲାଗିଛି । ଏହାକୁ ରୋକିବାକୁ ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ଅକ୍ଟୋବର ୨ ତାରିଖରୁ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସଚେତନା କାର୍ଯ୍ୟକ୍ରମ ଅନ୍ତର୍ଗତ ଶନିବାର ସନ୍ଧ୍ୟାରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ନିକଟସ୍ଥ ପୋଲିସ ପରେଡ ପଡିଆଠାରେ ଏସ୍ପି ଅଭିବନ ସୋନକାରଙ୍କ ଦ୍ବାରା ଏକ ସଚେତନତା ଯାତ୍ରା ଆୟୋଜିତ ହୋଇଥିଲା । ଏହି ଯାତ୍ରାରେ ଏସପି ସହରର ବିଭିନ୍ନ ସାହି, ଗଳିକନ୍ଦି ବୁଲି ଲୋକଙ୍କୁ ଅଭିଯାନର ଉଦ୍ଦେଶ୍ୟ ଏବଂ କିପରି ସାଇବର ଠକେଇରୁ ନିଜରୁ ରକ୍ଷା କରିବେ ସେନେଇ ସଚେତନ କରିଥିଲେ ।
କେବଳ ଅଶିକ୍ଷିତ ବ୍ୟକ୍ତି ନୁହଁନ୍ତି, ଅସାବଧାନତା ଓ ସଚେତନତାର ଅଭାବ ହେତୁ ବହୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି, ଯୁବ ସମାଜ, ପୋଲିସ ଓ ପ୍ରାଶାସନିକ ଅଧିକାରୀ ମଧ୍ୟ ସାଇବର ଠକେଇର ଶିକାର ହେଉଛନ୍ତି । ବେଳେବେଳେ କେତେକ ଲୋକ ବିନା ପରିଶ୍ରମରେ ଅଧିକ ଲାଭ ପାଇବାର ପ୍ରଲୋଭନରେ ପଡ଼ି ଠକେଇର ଶିକାର ହୋଇଥାଆନ୍ତି । ଆଉ କିଛି ଲୋକ ଅଶ୍ଳୀଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଲ ହୋଇ ଆର୍ଥିକ ଶୋଷଣର ଶିକାର ହୁଅନ୍ତି । ତେଣୁ ଏସବୁ ପ୍ରତି ଗୁରୁତ୍ଵ ଦେଇ ଠକମାନଙ୍କ କବଳରୁ ଦୂରେଇ ରହିବାକୁ ଏସପି ଯୁବପିଢ଼ିଙ୍କୁ ସଚେତନ କରାଇଛନ୍ତି । କୌଣସି ବ୍ୟକ୍ତି ଫୋନ୍ କରି ବ୍ୟାଙ୍କ ବିବରଣୀ କିମ୍ବା ସିକ୍ରେଟ ପିନ୍, ଏଟିଏମ୍, କ୍ରେଡିଟ କାର୍ଡ ସମ୍ପର୍କିତ ତଥ୍ୟ ମାଗିଲେ ନଦେବାକୁ ପରାମର୍ଶ ଦେଇଛନ୍ତି ।