କୋରାପୁଟ: କୋଭିଡ ଭ୍ୟାକ୍ସିନ ରାଜ୍ୟରେ ଆସନ୍ତା କିଛିଦିନ ମଧ୍ୟରେ ଉପଲବ୍ଧ ହେବ । ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ଜିଲ୍ଲାସ୍ତରରେ ଭ୍ୟାକ୍ସିନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।
କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟର 12,076 ଜଣଙ୍କୁ ଦିଆଯିବ କୋଭ୍ୟାକ୍ସିନ କୋରାପୁଟର ଅର୍ବାନ ହସ୍ପିଟାଲ ଠାରେ ଜିଲ୍ଲାସ୍ତରୀୟ କୋଭିଡ-19 ଟୀକାକରଣର ପୂର୍ବାଭ୍ୟାସ କୋରାଯାଇଛି । କୋଭ୍ୟାକ୍ସିନ ଆସିଲା ପରେ ଲୋକଙ୍କୁ କିଭଳି ପ୍ରଦାନ କରାଯିବ ସେ ନେଇ ଏକ ଡେମୋ କରାଯାଇଛି । ଆଜିର ଏହି ପୂର୍ବଅଭ୍ୟାସରେ ପୂର୍ବନିର୍ଦ୍ଧାରିତ 25 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯାଇଥିଲା। ଟୀକା ପ୍ରଦାନ କରିବା ସମୟରେ ଆସନ୍ତା ଦିନ ଗୁଡିକରେ ଜିଲ୍ଲାର 1624ଟି ଟୀକା ସଂରକ୍ଷଣ କେନ୍ଦ୍ର ତଥା 39ଟି ଟୀକା ପ୍ରଦାନ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ର ଗୁଡିକରେ ସମସ୍ତ ପ୍ରକ୍ରିୟାକୁ କିଭଳି ପାଳନ କରାଯିବ ତାର ମଧ୍ୟ ପରୀକ୍ଷା କରାଯାଇଥିଲା ।
କୋରୋନା ଭ୍ୟାକ୍ସିନେସନ ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏଥିପାଇଁ 5 ଜଣିଆ ଟିମ ଗଠନ କରାଯାଇଛି । କୋଭ୍ୟାକ୍ସିନ ନେଉଥିବା ବ୍ୟକ୍ତି ପ୍ରଥମେ ସରକାରଙ୍କ ଦ୍ବାରା କରାଯାଇଥିବା ଡାଟାବେସରେ ତାଙ୍କ ତଥ୍ୟ ରହିଥିବା ଆବଶ୍ୟକ । ଏଥିପାଇଁ ଏକ ସ୍ବତନ୍ତ୍ର ଭ୍ୟାକ୍ସିସିନେସନ କକ୍ଷ ବ୍ୟବସ୍ଥା କରାଯାଇଛି । 12ଟି ପରିଚୟ ପତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ପରିଚୟରେ ଜଣେ ଭ୍ୟାକସିନ ନେଇପାରିବ । କୋରୋନା ଗାଇଡଲାଇନ ସହ ମାସ୍କ ଓ ସାନିଟାଇଜର ସହ ଭ୍ୟାକ୍ସିନେସନ ପାଇଁ ସମସ୍ତ ପ୍ରକାରର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡାକ୍ତର ବେଉରାଙ୍କ ସୂଚନା ଦେଇ କହିଛନ୍ତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 12,076 ଜଣ ସ୍ବାସ୍ଥ୍ୟ କର୍ମୀ ଓ ଆଇସିଡିଏସ କର୍ମୀଙ୍କୁ ଏହି ଭ୍ୟାକ୍ସିନ ଦିଆଯିବା ପାଇଁ ଯୋଜନା କରାଯାଇଛି ।
ଏହି ପ୍ରସ୍ତୁତି କାର୍ଯ୍ୟକ୍ରମରେ ଜଣେ ଏଏନଏମ୍ ଭ୍ୟାକ୍ସିନେଟର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାବେଳେ କାହାରିକୁ କିଛି ଅସୁବିଧା ହୋଇନଥିବା ଡାକ୍ତର ବେଉରା କହିଛନ୍ତି । ଏହି ପୂର୍ବାଭ୍ୟାସ ସମୟରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।
କୋରାପୁଟ ସିଏଚ ଶାନ୍ତାକାର,ଇଟିଭି ଭାରତ