କୋରାପୁଟ: ଧିରେ ଧିରେ ସାରା ରାଜ୍ୟରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କୋରୋନା ସଂକ୍ରମଣ । ଏମିତିରେ ରାଜ୍ୟ ସରକାର 4ଟି ଜିଲ୍ଲା ଓ ରାଉରକେଲା ପୌରାଞ୍ଚଳରେ ପୁଣି ଲକଡାଉନ ଘୋଷଣା କରିଥିବା ବେଳେ କୋରାପୁଟକୁ ମଧ୍ୟ ଫେରିଛି ଲକଡାଉନ କଟକଣା । ଜିଲ୍ଲାରେ ସ୍ଥିତି ଉତ୍କଟ ହେବାରେ ଲାଗିଥିବାରୁ ବିଶେଷ ପ୍ରଭାବିତ ଅଞ୍ଚଳରେ ପୁଣି ଲକଡାଉନ ପାଇଁ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ସୂଚନା ମୁତାବକ ଜୟପୁର, ସୁନାବେଡା, କୋରାପୁଟ ଓ କୋଟପାଡ ପୌରାଞ୍ଚଳ, ସେମିଳିଗୁଡା ବ୍ଲକର ଚେରାଙ୍ଗୁଲ ପଞ୍ଚାୟତ, କୋରାପୁଟ ବ୍ଲକ ମାଥାଲପୁର ପଞ୍ଚାୟତ ସମେତ ବୋରିଗୁମ୍ମା, ଲକ୍ଷ୍ମୀପୁର ଓ ପଟାଙ୍ଗୀ ବ୍ଲକର ସଦର ପଞ୍ଚାୟତରେ ଏହି ଲକଡାଉନ ଘୋଷଣା ହୋଇଛି । ତେବେ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଏସମସ୍ତ ଅଞ୍ଚଳରେ କଟକଣା ବଲବତ୍ତର ରହିବ । ଇତିମଧ୍ୟରେ କେବଳ ଅତ୍ୟାବଶ୍ୟକ , ସାମଗ୍ରୀ, ପନିପରିବା ଓ ଡାଲି, ଚାଉଳ ସମେତ ଔଷଧ ଦୋକାନ ଆଦି ସକାଳ 7ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ବିକ୍ରି ହେବ ।