କୋରାପୁଟ: ଆସନ୍ତା 2024 ନିର୍ବାଚନରେ କଂଗ୍ରେସର ସଫଳତା ହାସଲ କରିବ । 9ରୁ 90 ମିଶନ ହେବ ସଫଳ । ବିଶ୍ବାସ ଓ ଦମ୍ଭର ସହ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଓଡ଼ିଶାରେ ଗତ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଅଭିଯାନରେ ଯାତ୍ରା କରିବା ସମୟରେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ବିରୋଧରେ ଲାଗି ରହିଥିବା ଅସନ୍ତୋଷ ଦେଖିବାକୁ ମିଳିଛି ।
ଦେଶରେ 2 କୋଟି ଯୁବକ ଯୁବତୀଙ୍କୁ ଚାକିରି ଦେବା ତଥା ଦୁର୍ନୀତି ନିୟନ୍ତ୍ରଣ କରି ପ୍ରତି ପରିବାର ପାଖରେ 15 ଲକ୍ଷ ଟଙ୍କା ପହଞ୍ଚିବାର ମିଥ୍ୟା ପ୍ରତିଶ୍ରୁତି ଓ ସ୍ବପ୍ନ ଦେଖାଇ ଥିଲେ କେନ୍ଦ୍ର ସରକାର । ଏପରି କହି ଗତ 2014 ସାଧାରଣ ନିର୍ବାଚନରେ ବିଜେପି ତା ସରକାର ଗଠନ କରିପାରିଥିଲା । କିନ୍ତୁ ଏତେ ବର୍ଷର ଶାସନ ପରେ ମଧ୍ୟ ଜନତାଙ୍କୁ ଦେଖାଇଥିବା ସ୍ବପ୍ନ ବର୍ତ୍ତମାନ ମଧ୍ୟ ସାକାର ହୋଇପାରି ନଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି । ଅଧିକନ୍ତୁ ପେଟ୍ରୋଲ, ଡିଜେଲ, ଡାଲି, ତେଲଠାରୁ ଆରମ୍ଭ କରି ବିଭିନ୍ନ ଜିନିଷର ଦର ବଢ଼ାଇଛନ୍ତି । ଏନେଇ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି ।
ସେହିପରି ରାଜ୍ୟରେ ଗତ ଅନେକ ବର୍ଷ ଧରି ବିଜେଡି ଦଳର ସରକାର ଶାସନ କରିବା ପରେ ମଧ୍ୟ ବର୍ତ୍ତମାନ ବିଦ୍ୟାଳୟରେ ଶିକ୍ଷକ ଓ ହସ୍ପିଟାଲରେ ଡାକ୍ତର ଅଭାବ ରହିଛି । ଏନେଇ ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ଯାଇଛି । କୋରାପୁଟ ଭଳି ଜିଲ୍ଲାରେ ବର୍ତ୍ତମାନ ମଧ୍ୟ ଗର୍ଭବତୀ ଖଟରେ ବୁହା ହୋଇ ଯାଉଛନ୍ତି । ଲକ୍ଷଲକ୍ଷ ଯୁବକ ଯୁବତୀ ରାଜ୍ୟ ଛାଡି ଅନ୍ୟାନ୍ୟ ଅଞ୍ଚଳକୁ କାର୍ଯ୍ୟ ଅନ୍ୱେଷଣରେ ଚାଲିଯାଉଥିବା ଦୁର୍ଭାଗ୍ୟଜନକ ପରିସ୍ଥିତି ।