ଓଡିଶା

odisha

ETV Bharat / state

ଆଜିଠୁ ବିଦ୍ୟାଳୟରେ ପ୍ରବେଶ ଉତ୍ସବ, ସରକାରଙ୍କ ନିର୍ଦ୍ଦେଶ ଅଭାବରୁ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବ - ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବ

ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ପ୍ରବେଶ ଉତ୍ସବ ପାଳିତ ହେଉଛି । ତେବେ ରାଜ୍ୟ ସରକାରଙ୍କ ଲିଖିତ ନିର୍ଦ୍ଦେଶ ଅଭାବରୁ ବର୍ଷ ଆରମ୍ଭରୁ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ଅଧିକ ପଢ଼ନ୍ତୁ

ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବ
ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବ

By

Published : Apr 3, 2023, 8:05 PM IST

Updated : Apr 4, 2023, 3:02 PM IST

ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବ

କୋରାପୁଟ: ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ପାଳିତ ହୋଇଯାଇଛି ପ୍ରବେଶ ଉତ୍ସବ । ନୂତନ ଭାବେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପୁରାତନ ଛାତ୍ରଛାତ୍ରୀ ଫୁଲ ତୋଡା, ଚନ୍ଦନ ଦେଇ ବିଦ୍ୟାଳୟକୁ ସ୍ୱାଗତ କରିଛନ୍ତି । ପୂର୍ବରୁ ନୂତନ ପୁସ୍ତକ ଆସି ପହଞ୍ଚି ସାରିଥିବା ଯୋଗୁଁ ପ୍ରବେଶ ହେବା ମାତ୍ରକେ ପିଲାଙ୍କୁ ନୂତନ ପୁସ୍ତକ ପ୍ରଦାନ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଲିଖିତ ନିର୍ଦ୍ଦେଶ ଅଭାବରୁ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବ ଆଜି ମଧ୍ୟ ପୂର୍ବ ବର୍ଷ ଭଳି ଲାଗି ରହିଛି ।

ଜାତୀୟ ଶିକ୍ଷାନୀତି ଓ ଶିକ୍ଷା ଅଧିକାର ଆଇନ ଆଧାରରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପିଲାଙ୍କ ବୟସ ମାର୍ଚ୍ଚ ୩୧ ତାରିଖ ବେଳକୁ ୬ ବର୍ଷ ହୋଇଥିବା ଆବଶ୍ୟକ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ ସ୍ପଷ୍ଟ ପତ୍ର ରହିଛି । ତେବେ ଓଡିଶା ରାଜ୍ୟ ସରକାରଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଭାବେ ଲିଖିତ ନିର୍ଦ୍ଦେଶ ବିଦ୍ୟାଳୟକୁ ଦିଆ ଯାଇନଥିବାରୁ ଜିଲ୍ଲାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ଏନେଇ ଦ୍ବନ୍ଦ୍ବ ବର୍ଷ ଆରମ୍ଭରୁ ଲାଗି ରହିଛି । ସରକାରୀ ନିର୍ଦ୍ଦେଶ ଅଭାବରୁ ପୁରାତନ ଚିଠିକୁ ଆଧାର କରି ୫ ବର୍ଷ ହୋଇଥିବା ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଗ୍ରହଣ କରାଯାଇଥିବା କୋରାପୁଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ହରିହର ସାହୁ ଜଣାଇଛନ୍ତି । ଅପରପକ୍ଷରେ ଲିଖିତ ଭାବେ ସ୍ପଷ୍ଟ ସରକାରୀ ନିର୍ଦ୍ଦେଶ ପାଇନଥିଲେ ମଧ୍ୟ ଜାତୀୟ ଶିକ୍ଷା ନୀତି ଓ ଶିକ୍ଷା ଅଧିକାର ଆଇନକୁ ଆଧାର କରି କେବଳ ୬ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଗ୍ରହଣ କରିଥିବା ବଡଚିନ୍ଦ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନନ୍ଦିତା ମିଶ୍ର ସ୍ପଷ୍ଟ କରିଛନ୍ତି ।

ତେବେ ଅନ୍ୟ ଏକ ସରକାରୀ ବିଦ୍ୟାଳୟକୁ ନିଜର ୫ ବର୍ଷ ୬ ମାସର ଝିଅକୁ ନେଇ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଆସି ନିରାଶ ହେବାକୁ ପଡିଥିବା ଅଭିଭାବକ ସୋମନାଥ ଖରା ଜଣାଇଛନ୍ତି । ଝିଅ ବିଦ୍ୟାଳୟକୁ ଯିବା ପାଇଁ ଅଡି ବସୁଥିଲେ ହେଁ ବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରୀ ନିର୍ଦ୍ଦେଶର ଅପେକ୍ଷାରେ ଥିବା ଯୋଗୁଁ ସ୍ପଷ୍ଟ ଭାବେ ଝିଅକୁ ପ୍ରଥମ ଶ୍ରେଣୀରେ ଗ୍ରହଣ କରିବେ ନା ନାହିଁ ତାହା ଦିଦି କହି ପାରୁନାହାନ୍ତି ବୋଲି ସୋମନାଥ ଜଣାଇଛନ୍ତି । ତେବେ ଏପରି ଏକ ଦ୍ବନ୍ଦ୍ବ ମଧ୍ୟରେ ଅଙ୍ଗନୱାଡି କେନ୍ଦ୍ରକୁ ଝିଅକୁ ପୁଣିଥରେ ଫେରାଇ ନେବା ପାଇଁ ପ୍ରସ୍ତୁତ ଥିଲେ ହେଁ ବିଦ୍ୟାଳୟକୁ ହିଁ ଯିବା ପାଇଁ ଝିଅ ଅଡ଼ି ବସିଥିବା ସୋମନାଥ କହିଛନ୍ତି । ଏନେଇ ସରକାରଙ୍କ ଲିଖିତ ନିର୍ଦ୍ଦେଶ ନଥିଲେ ମଧ୍ୟ ୬ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ହିଁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନେବା କଥା ବୋଲି ସ୍ପଷ୍ଟୀକରଣ ଦେଉଥିବା ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ କିଛି ବିଦ୍ୟାଳୟରେ ୫ ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିଲେ ସେମାନେ ମଧ୍ୟ ପ୍ରଥମ ଶ୍ରେଣୀରେ ପଢି ପାରିବେ ବୋଲି କହିଛନ୍ତି । ତେବେ ସରକାର ଏପରି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ତୁରନ୍ତ ହସ୍ତକ୍ଷେପ କରି ଆସନ୍ତା ୮ ତାରିଖ ସୁଦ୍ଧା ସମାପ୍ତ ହେଉଥିବା ନାମଲେଖା ଅବଧି ପୂର୍ବରୁ ବିଦ୍ୟାଳୟ ଗୁଡିକୁ ଲିଖିତ ଭାବେ ସ୍ପଷ୍ଟ ନିର୍ଦ୍ଦେଶ ପ୍ରଦାନ କଲେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ଦ୍ବନ୍ଦ୍ବରୁ ମୁକ୍ତି ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ନାମଲେଖା ବୟସକୁ ନେଇ ଦ୍ଵନ୍ଦ୍ବ କମୁନଥିବା ବେଳେ ବର୍ଷ ଆରମ୍ଭରୁ ବିଦ୍ୟାଳୟରେ ଶିକ୍ଷକ ଅଭାବ ଏକ ଗୁରୁତର ସମସ୍ୟା ଭାବେ ଦେଖାଯାଇଥିବା ଚିନ୍ଦ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୁଲୁ ପରଜା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Apr 4, 2023, 3:02 PM IST

ABOUT THE AUTHOR

...view details